Categories: ଜାତୀୟ

ଶାଶୁ ଅପମାନ ଦେବାରୁ ୨ ପୁତୁରାଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ,୨୯।୬: ଦୁଇ ନାବାଳକ ପୁତୁରା(ଜଣେ ୭ ବର୍ଷର ଓ ଜଣେ ୧୦ ବର୍ଷ)ଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ସେମାନଙ୍କ ମଉସା। ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲାରେ ସୋମବାର ଏଭଳି ଘଟିଛି ଜଘନ୍ନ୍ୟ ହତ୍ୟାକାଣ୍ଡ।

ପାର୍ଥିବ ସାହାସାଓ୍ବତ ଓ ରୋହନ ଅଶ୍ୱିନଙ୍କୁ ଗୁରୁତର ଅବସ୍ଥାରେ ଜିଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ସେମାନଙ୍କ ମଉସା (ମା’ଙ୍କ ଭଉଣୀର ସ୍ବାମୀ) ଶ୍ରୀନିବାସ ରାଓ ସେମାନଙ୍କୁ ଖୁବ୍‌ ପିଟି ଥିଲେ। ଯାହା ଫଳରେ ଦୁଇ ଭାଇଙ୍କ ମୁଣ୍ଡ ସମେତ ଦେହର ବିଭିନ୍ନ ଅଙ୍ଗରେ ଗଭୀର ଆଘାତ ସୃଷ୍ଟି ହୋଇଥିଲା।

ମୃତ ନାବାଳକଙ୍କ ବାପା ମା’ କୋଟେସ୍ବାରା ରାଓ ଉମା ଦେବୀ ବେଙ୍ଗାଲୁରୁରେ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଲକ୍‌ଡାଉନ ଯୋଗୁ ଛୁଆଙ୍କୁ ମାମୁ ଘରେ ଛାଡ଼ି ଯାଇଥିଲେ। ସୋମବାର ଦୁଇ ପୁତୁରାଙ୍କୁ ଏକ ଘରେ ବନ୍ଦ କରି ଖୁବ୍‌ ପିଟିବା ପରେ ରକ୍ତାକ୍ତ ଅବସ୍ଥାରେ ଛାଡ଼ି ଦେଇଥିଲେ ଶ୍ରୀନିବାସ। କିନ୍ତୁ ଦୁଇ ପୁତୁରାଙ୍କ ସହ ଖେଳୁଥିବା ନିଜ ପୁଅଙ୍କୁ ଛୁଇଁ ନ ଥିଲେ।

ଶାଶୁଙ୍କ ଦ୍ୱାରା ଅପମାନିତ ହେବା ପରେ କ୍ରୋଧିତ ହୋଇ ଶ୍ରୀନିବାସ ଏଭଳି କାଣ୍ଡ ଘଟାଇଥିଲେ। ତାଙ୍କୁ ହସ୍ପିଟାଲରୁ ଗିରଫ କରାଯାଇଛି। ମୃତକଙ୍କ ଜେଜେମାଙ୍କ ଅଭିଯୋଗ କ୍ରମେ ଆମେ ମାମଲା ରୁଜୁ କରି ତଦନ୍ତ ଚଲାଇଛୁ ବୋଲି ହତ୍ୟାକାଣ୍ଡର ତଦନ୍ତ କରୁଥିବା ରେପାଲେ ସର୍କଲ ଇନସ୍ପେକ୍ଟର ସୂର୍ଯ୍ୟନାରାୟଣ କହିଛନ୍ତି।

Share