ହାଇଦ୍ରାବାଦ,୩।୪: ଆନ୍ଧ୍ରପ୍ରଦେଶରେ ସୋମବାର ୧୩ଟି ନୂଆ ଜିଲା ଗଠନ ହେବାକୁ ଯାଉଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଜିଲା ସଂଖ୍ୟା ୨୬ ହେବ। ଏହା ଏକ ସ୍ମରଣୀୟ ଦିନ ହେବ ବୋଲି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ କହିଛନ୍ତି। ନୂଆ ଜିଲା ଗଠନ ପ୍ରକ୍ରିୟା ଶେଷ ହୋଇଛି ଓ ସୋମବାର ମୁଖ୍ୟମନ୍ତ୍ରୀ ସେଗୁଡ଼ିକୁ ଉଦ୍ଘାଟନ କରିବେ। ଏଥିସହିତ ସେ ଜିଲା ପୋର୍ଟାଲ ଓ ହ୍ୟାଣ୍ଡବୁକ୍ ଶୁଭାରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।
ଅକ୍ଳାନ୍ତ ପରିଶ୍ରମ କରି ଜିଲା ଗଠନ ଯୋଜନାକୁ ସଫଳ କରାଇଥିବା ସ୍ବେଚ୍ଛାସେବୀମାନଙ୍କୁ ମୁଖ୍ୟମନ୍ତ୍ରୀ ୬ ତାରିଖରେ ସମ୍ବର୍ଦ୍ଧିତ କରିବେ। ଆସନ୍ତା ୭ ତାରିଖରେ ମନ୍ତ୍ରୀ ପରିଷଦ ବୈଠକ ବସି ରାଜ୍ୟ ଚଳାଇବା ପାଇଁ ନୂଆ ଟିମ୍ ଗଠନ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।