Categories: ଜାତୀୟ

ଆନ୍ଧ୍ରପ୍ରଦେଶରେ ରହିବ ୩ ରାଜଧାନୀ

ହାଇଦ୍ରାବାଦ,୧।୮: ଆନ୍ଧ୍ରପ୍ରଦେଶରେ ୩ଟି ରାଜଧାନୀ ରହିବା ନେଇ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀଙ୍କ ଯୋଜନା ସଫଳ ହୋଇଛି। ଏଣିକି ଆନ୍ଧ୍ରପ୍ରଦେଶରେ ରହିବ ୩ଟି ରାଜଧାନୀ। ଆଉ ଏହାକୁ ରାଜ୍ୟପାଳ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୧୪ରେ ତେଲେଙ୍ଗାନା ଅଲଗା ରାଜ୍ୟ ଭାବରେ ନାମିତ ହୋଇଥିଲା। ଏହାପରେ ୨୦୧୯ରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ଗୋଟାଏ ବଦଳରେ ଆନ୍ଧ୍ରପ୍ରଦେଶର ୩ଟା ରାଜଧାନୀ ରହିବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ରାଜ୍ୟର ରାଜଧାନୀ ଥିବା ଅମରାବତୀ ସମେତ ବିଶାଖପଟନମ ଓ କୁର୍ନୁଲକୁ ମଧ୍ୟ ରାଜ୍ୟର ରାଜଧାନୀ ରୂପେ ବିକଶିତ କରାଯିବା ସହ ରାଜଧାନୀର ମାନ୍ୟତା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥିପାଇଁ ଚଳିତ ବର୍ଷ ଜୁଲାଇରେ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ନିକଟକୁ ସେ ଦୁଇଟି ବିଲ୍‌ ପଠାଇଥିଲେ। ଏହି ଦୁଇଟି ବିଲ ହେଲା ଆନ୍ଧ୍ରପ୍ରଦେଶର ବିକେନ୍ଦ୍ରୀକରଣ ଏବଂ ସମସ୍ତ ଅଞ୍ଚଳର ଅନ୍ତର୍ଭୂକ୍ତ ବିକାଶ ବିଲ୍‌ ୨୦୨୦ ଓ ଆନ୍ଧ୍ରପ୍ରଦେଶର ରାଜଧାନୀ କ୍ଷେତ୍ର ବିକାଶ ପ୍ରାଧିକରଣ(ପ୍ରତ୍ୟାହାର) ବିଲ୍‌ ୨୦୨୦। ହେଲେ ଶୁକ୍ରବାର ଏହି ୨ଟି ବିଲ୍‌କୁ ରାଜ୍ୟପାଳ ବିଶ୍ୱ ହରିଚନ୍ଦନ ଆନୁଷ୍ଠାନିକ ଭାବେ ସ୍ବାକ୍ଷରିତ କରିଛନ୍ତି। ଏହାପରେ ଆନ୍ଧ୍ରପ୍ରଦେଶରେ ରହିବ ୩ଟା ରଜଧାନୀ। ଅମରାବତୀ ହେବ ରାଜ୍ୟର ବିଧାନସଭା ରାଜଧାନୀ, ବିଶାଖାପାଟନମ ହେବ ରାଜ୍ୟର କାର୍ଯ୍ୟକାରୀ ରାଜଧାନୀ ଓ କୁର୍ନୁଲ ହେବ ରାଜ୍ୟର ନ୍ୟାୟିକ ରାଜଧାନୀ। ଏନେଇ ଆନ୍ଧ୍ରପ୍ରଦେଶରେ ଖୁସିର ମାହୋଲ ଖେଳିଯାଇଛି।

Share