ଖପ୍ରାଖୋଲ,୮ା୧(ଡି.ଏନ୍.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ସଦର ମହକୁମା ଗାଁର ଜଣେ ଦାଦନ ଶ୍ରମିକ କାମ ପାଇଁ ଟ୍ରେନ ଯୋଗେ ଗତ ୫ତାରିଖ ମାଡ୍ରାସକୁ ଇଟା ଗଢିବା ପାଇଁ ପରିବାର ସହ ଯାଉଥିଲେ। ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ରେଳଷ୍ଟେଶନରୁ ସେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ଦାଦନ ଶ୍ରମିକ ହେଲେ ଦୁର୍ଯ୍ୟୋଧନ ବରିହା ଓରଫ କୁନୁ (୩୦)।
ଦୁର୍ଯ୍ୟାଧନ ସ୍ତ୍ରୀ ସେବତୀ(୨୮), ପୁଅ ରୋହିତ(୧୨) ଓ ରାକେଶ(୧୩)ଙ୍କୁ ଧରି ଟ୍ରେନ ଯାଉଥିଲେ। ହେଲେ ଆନ୍ଧ୍ରପ୍ରଦେଶର ଆଙ୍ଗୋଲି ଷ୍ଟେଶନରେ ଦୁର୍ଯ୍ୟାଧନ ଖସିପଡ଼ିଥିଲେ। ତାଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗୋଟିଏ ଦିନପରେ ଅଳ୍ପ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ବିଜୟଓ୍ବାଡା ରେଳ ଷ୍ଟେଶନରେ ସ୍ତ୍ରୀକୁ ଖାଦ୍ୟ ସାମଗ୍ରୀ କିଣିବାକୁ ଯାଉଛି କହି ଫେରି ନ ଥିଲେ। ପରିବାର ଲୋକେ ଗାଡିରୁ ଓହ୍ଲାଇ ଖୋଜାଖୋଜି ପରେ ମଧ୍ୟ ଦୁର୍ଯ୍ୟୋଧନଙ୍କୁ ନ ପାଇ ଶନିବାର ଘରକୁ ନିରାଶ ହୋଇ ଫେରିଥିଲେ। ରବିବାର ନିଖୋଜ ଶ୍ରମିକଙ୍କ ସ୍ତ୍ରୀ ଖପ୍ରାଖୋଲ ଥାନାରେ ଲିଖିତ ଭାବେ ଜଣାଇଛନ୍ତି। ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁଙ୍କୁ ପଚାରିବାରୁ ଦୁର୍ଯ୍ୟୋଧନଙ୍କ ନିଖୋଜ ଅଭିଯୋଗ ପରେ ଏକ ଷ୍ଟେଶନ ଡାଏରୀ କରାଯାଇଛି ବୋଲି କହିଛନ୍ତି।