ବିଜୟଓ୍ବାଡ଼ା,୨୧ା୪: ଆମେରିକାର କଲମ୍ବସ୍ ଅନ୍ତର୍ଗତ ଫ୍ରାଙ୍କଲିଣ୍ଟନଠାରେ ଥିବା ଏକ ଗ୍ୟାସ୍ ଷ୍ଟେଶନରେ ଜଣେ ୨୪ ବର୍ଷୀୟ ତେଲୁଗୁ ଯୁବକଙ୍କୁ ଗୁରୁବାର ଗୁଳିକରି ହତ୍ୟା କରାଯାଇଛି। ସାଇସା ବୀରା ନାମକ ଏହି ଛାତ୍ରଙ୍କ ଘର ଆନ୍ଧ୍ରପ୍ରଦେଶର ଏଲୁରୁରେ। ସେ ମାଷ୍ଟର ଡିଗ୍ରୀ ପଢ଼ିବା ପାଇଁ ଆମେରିକା ଯାଇ ସେଠାର ଏକ ସେଲ୍ ଫୁଏଲ୍ ଷ୍ଟେଶନରେ କିରାଣୀ ଭାବେ କାର୍ଯ୍ୟ କରୁଥିଲେ। ଗୁଳିମାଡ଼ ପରେ ତାଙ୍କୁ ସଙ୍ଗେ ସଙ୍ଗେ ଗ୍ରାଣ୍ଟ ମେଡିକାଲ ସେଣ୍ଟରକୁ ନିଆଯାଇଥିଲା। ରାତି ୧ଟା ୨୭ରେ ତାଙ୍କର ପରଲୋକ ହୋଇଯାଇଛି। ସେ ଶେଷ ସେମିଷ୍ଟର ପାଇଁ ପଢ଼ୁଥିଲେ ଏବଂ ଦୁଇ ସପ୍ତାହ ମଧ୍ୟରେ ଗ୍ୟାସ ଷ୍ଟେଶନ ଚାକିରି ଛାଡ଼ିଥାନ୍ତେ ବୋଲି ତାଙ୍କର ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି।