ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସୀମା ବାଉଁଶବଣରୁ ବାହାରି ଆନ୍ଧ୍ରର କଳିଙ୍ଗପାଟଣାଠାରେ ବଙ୍ଗୋପସାଗରରେ ମିଶିଛି। ଏହାର ଦୈର୍ଘ୍ୟ ୨୫୪ କି.ମି.। ଏହାର ବେସିନ୍‌ ଏରିଆର ଅଧିକାଂଶ ଭାଗ ଅର୍ଥାତ୍‌ ୮୦୧୫ ବର୍ଗ କି.ମି. ଓଡ଼ିଶାରେ ଥିବାବେଳେ ମାତ୍ର ୨୮୧୫ ବର୍ଗ କି.ମି. ଆନ୍ଧ୍ରରେ ରହିଛି। ଏହି ନଦୀରୁ ୧୧୫ ହଜାର ମିଲିଅନ କ୍ୟୁବିକ ପାଣିରୁ ଆନ୍ଧ୍ର ଓ ଓଡିଶା ୫୦ : ୫୦ ନେବା ପାଇଁ ପୂର୍ବରୁ ଚୁକ୍ତି ହୋଇଛି। ତେବେ ଗୋଟ୍ଟା ବ୍ୟାରେଜ, ନେରେ ବ୍ୟାରେଜ ଭଳି ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ବଂଶଧାରା ପାଣିର ସଦୁପଯୋଗ କରୁଥିବା ବେଳେ ଓଡ଼ିଶା ଏଯାଏ ସେଭଳି କୌଣସି ପ୍ରକଳ୍ପ କରିନାହିଁ।

ଓଡ଼ିଶାର ରାୟଗଡା ଜିଲା ପାଣିଡଙ୍ଗରଠାରେ ବଂଶଧାରା ଓ ଏହାର ଉପନଦୀ ସାନନଦୀ ଉପରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କଚ୍ଛପ ଗତିରେ ଚାଲିଛି। ଓଡ଼ିଶାର ଜମି, ଜଙ୍ଗଲ ଓ ଜଳକୁ କବ୍‌ଜା କରି ସେସବୁର ସଦୁପଯୋଗ ପାଇଁ ଆନ୍ଧ୍ରର ଉଦ୍ୟମ ଜାରି ରହିଛି। ତେବେ ବଂଶଧାରାର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ଏବେ ଆନ୍ଧ୍ରର ଆଖି ଉକ୍ତ ବାଲି ଉପରେ ପଡିଛି। ଅଳ୍ପ ଦିନ ତଳେ ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ବାଲିଘାଟକୁ ଆନ୍ଧ୍ର ନିଜର ବୋଲି ଦାବି କରିବା ପରେ ଠିକ୍‌ ସୀମା ନିର୍ଦ୍ଧାରଣ ପାଇଁ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ମିଳିତ ସର୍ଭେ କରାଯାଇଥିଲା। ସେ ସମୟରେ ନିଜର ଦାବି ସପକ୍ଷରେ ଆନ୍ଧ୍ର ପ୍ରଶାସନ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲା। ଏହା ସତ୍ତ୍ୱେ ଆନ୍ଧ୍ର ଏଯାଏ ଏହି ଦାବିରୁ ଓହରିନାହିଁ। କାଶୀନଗର ଓ ଗୁଣୁପୁର ଅଞ୍ଚଳରୁ ଆନ୍ଧ୍ରକୁ ଚୋରା ବାଲିଚାଲାଣ କ୍ରମାଗତ ଭାବେ ଲାଗି ରହିଛି। ଚଳିତ ମାସ ୧୩ ତାରିଖରେ କାଶୀନଗର ବ୍ଲକ ଶିଆଳି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥ ଦେଇ ବେଆଇନ ଭାବେ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ଏକ ଟ୍ରକକୁ ଗଜପତି ଜିଲା ଖଣି ଅଧିକାରୀ ଜବତ କରି ଜରିମାନା କରିଥିଲେ। ତେବେ କେବେ କେମିତି ଆନ୍ଧ୍ରକୁ ଚୋରାରେ ବାଲି ନେଉଥିବା ଗୋଟେ ଟ୍ରକକୁ ଜବତ କରି ଜରିମାନା କରି ଦେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ନଜର ରଖୁଥିବା ଆନ୍ଧ୍ର ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓଡ଼ିଶା ସରକାର ନେବାକୁ ଦାବି ହେଉଛି।