Categories: ଖେଳ

ଆଙ୍ଗୁଠି ଭାଙ୍ଗିଲା, ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି ଏହି ବ୍ୟାଟ୍ସମ୍ୟାନ୍‌

ଚେନ୍ନାଇ,୧୪।୧୦: ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ୍‌ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିପାରନ୍ତି। ଆଇପିଏଲ ୨୦୨୩ ସମୟରେ ସେ ଆହତ ହୋଇଥିଲେ। ଆଣ୍ଠୁର ଅସ୍ତ୍ରୋପଚାର ପରେ ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କୁ ୯ ମାସ ଲାଗିଥିଲା। ଏଥିଲାଗି ତାଙ୍କୁ କଠିନ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଥିଲା।ହେଲେ ଏବେ ଶୁକ୍ରବାର ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ସେ ପୁଣିଥରେ ଆହତ ହୋଇଛନ୍ତି।

ଚେନ୍ନାଇ ଷ୍ଟାଡିୟମରେ ଓ୍ବିଲିୟମସନ ୭୮ ରନ୍‌ର ଇନିଂସ ଖେଳି ଦଳର ସ୍କୋରକୁ ୨୦୦ରେ ପହଞ୍ଚାଇଥିଲେ। ହେଲେ ସେହି ସମୟରେ ବାଲାଂଦେଶର ଜଣେ ଫିଲ୍ଡରଙ୍କ ଥ୍ରୋ ଯୋଗୁ ବଲ୍‌ ତାଙ୍କ ଆଙ୍ଗୁଠିରେ ସିଧା ବାଜିଥିଲା। ଏହାକୁ ନେଇ ତାଙ୍କୁ ରିଟାଏର୍ଡ ହର୍ଟ ହେବାକୁ ପଡ଼ିଥିଲା। ମ୍ୟାଚ୍‌ ପରେ ପଚରାଯିବାରେ ସ୍କାନ ପରେ ବାସ୍ତବିକ ସ୍ଥିତି ଜଣାପଡ଼ିବ ବୋଲି ସେ କହିଥିଲେ।

ତେବେ ଶନିବାର ତାଙ୍କ ଆଙ୍ଗୁଠିର ଏକ୍ସ ରେ କରାଯାଇଥିଲା। ସେଥିରେ ଆଙ୍ଗୁଠିଟିର ହାଡ ଭାଙ୍ଗିଥିବା ଜଣାପଡ଼ିଛି। ଏହାକୁ ନେଇ ଅଧିନାୟକଙ୍କ ଅସୁବିଧା ବଢ଼ିଛି। ଯଦି ସେ ଏହି ଆଘାତକୁ ନେଇ ଦଳରୁ ବାଦ୍‌ ପଡ଼ନ୍ତି ତେବେ ଦଳ ପାଇଁ ବଡ଼ ଝଟ୍‌କା ହେବ ବୋଲି କୁହାଯାଉଛି। କାରଣ ଦଳ ଏଯାବତ ଖେଳିଥିବା ୩ଟି ଯାକ ମୁକାବିଲାକୁ ଜିତି ପଏଣ୍ଟ ଟେବୁଲ୍‌ ଶୀର୍ଷରେ ରହିଛି।

Share