ଠେଙ୍ଗା ଧରି ଜଗିଛନ୍ତି ଅଙ୍ଗନୱାଡ଼ି, ଆଶା କର୍ମୀ

ଭଦ୍ରକ ଅଫିସ, ୨୫ା୭- ଭଦ୍ରକ ଜିଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଛି। ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୪୮୪ ଛୁଇଁଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇସାରିଛି। ଏହାକୁ ଦୃଷ୍ଟିରେ ରଖି ଜିଲାରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପୌରାଞ୍ଚଳ, ସହରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟରେ ଲକ୍‌ ଡାଉନ କଟକଣା କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଲୋକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବା ଓ ଏଥିଲାଗି ଘରୁ ବାହାରକୁ ବାହାରିଲେ ମାସ୍କ ପିନ୍ଧିବାକୁ ସଚେତନତା କରିବା ପାଇଁ ଜିଲାର ତିହିଡ଼ି ବ୍ଲକ ଗୁଆମାଳ ପଞ୍ଚାୟତରେ ଅଭିନବ ଉପାୟରେ ସଚେତନତାରେ ଲାଗି ପଡ଼ିଛନ୍ତି ଅଙ୍ଗନୱାଡ଼ି ଓ ଆଶା କର୍ମୀ। ସଚେତନ କରିବା ପାଇଁ ନିଆରା ଢଙ୍ଗରେ ଠେଙ୍ଗା ଧରି ରାସ୍ତାରେ ଜଗିଛନ୍ତି। ଯେଉଁମାନେ ବାହାରକୁ ଆସୁଛନ୍ତି ଓ ମାସ୍କ ପିନ୍ଧି ନ ଥିବା ନଜର ଆସୁଛନ୍ତି ଅଙ୍ଗନୱାଡ଼ି କର୍ମୀ ସଂଯୁକ୍ତା ପାଣିଗ୍ରାହୀ ଓ ଆଶାକର୍ମୀ ସବିତା ବେଜ୍‌ ସେମାନଙ୍କୁ ଠେଙ୍ଗା ଦେଖାଇ ତାଗିଦ୍‌ କରୁଛନ୍ତି। ଏହା ସହ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ କହୁଛନ୍ତି। କିଛିଦିନ ହେଲା ସଂଯୁକ୍ତା ଓ ସବିତା ଏଭଳି ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି। ଲୋକମାନେ ମଧ୍ୟ ଏମାନଙ୍କୁ ଦେଖିବା ମାତ୍ରେ ସାବଧାନ ହୋଇଯାଉଛନ୍ତି, ଆଉ ମାସ୍କ ପିନ୍ଧୁଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି ସରକାର। ଯେଉଁମାନେ ମାସ୍କ ପିନ୍ଧୁ ନାହାନ୍ତି ସେମାନଙ୍କ ନିକଟରୁ ଫାଇନ ମଧ୍ୟ ଆଦାୟ ହେଉଥିବା ନଜର ଆସିଛି। ଏହିଭଳି ଅଭିନବ ଉପାୟକୁ ଦେଖି ସ୍ଥାନୀୟ ସରପଞ୍ଚ ପ୍ରଦୀପ ପଣ୍ଡା ବେଶ ପ୍ରଶଂସା କରିଛନ୍ତି।

Share