ଅଙ୍ଗନଓ୍ବାଡି ସକାଳ ଜଳଖିଆରେ ମାଣ୍ଡିଆ ଲଡୁ ସାମିଲ ହେବ

ଭୁବନେଶ୍ୱର,୧୮।୮ (ବ୍ୟୁରୋ): ଶିଶୁ ଖାଇବେ ମାଣ୍ଡିଆ ଲଡୁ। ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପୋଷଣ ଆବଶ୍ୟକତାକୁ ସୁନିଶ୍ଚିତ କରିବା ପାଇଁ ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ ଯୋଜନାରେ ଅଙ୍ଗନଓ୍ବାଡ଼ି ଜଳଖିଆରେ ମାଣ୍ଡିଆ ଲଡୁକୁ ସାମିଲ କରିବା ପାଇଁ ଚିନ୍ତା କରାଯାଉଛି। ତେବେ ପାଇଲଟ୍‌ କାର୍ଯ୍ୟକ୍ରମ ଭାବେ ପ୍ରଥମେ କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲାରେ ଏହି ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ଏଥିରେ ସଫଳତା ମିଳିଲେ ରାଜ୍ୟର ସବୁ ଜିଲାରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଓଡ଼ିଶା ମିଲେଟ୍‌ ମିଶନ ତରଫରୁ ବୈଷୟିକ ସହାୟତା ଏବଂ ଜିଲା ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତାରେ ଜୁଲାଇରେ କେନ୍ଦୁଝର ଜିଲାର ୩୩୫ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସ୍ବାଧୀନତା ଦିବସରେ ସୁନ୍ଦରଗଡ଼ ଜିଲାର ହେମଗିରି, ଟାଙ୍ଗରପାଲି ଏବଂ ସଦର ବ୍ଲକ୍‌ ଅନ୍ତର୍ଗତ ୫୪୯ଟି ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ଏଥିସହ ଜିଲାର ଲେଫ୍ରିପଡ଼ା ବ୍ଲକ୍‌ରେ ମଧ୍ୟ ସ୍ପିରିଲୁନାଯୁକ୍ତ ବାଦାମ ଚିକି ବିତରଣ ଆରମ୍ଭ ହୋଇଛି। ଏଥିରୁ ସୁଫଳ ମିଳିଲେ ପ୍ରଥମେ ଦୁଇ ଜିଲାର ସବୁ ଅଙ୍ଗନଓ୍ବାଡି କେନ୍ଦ୍ରରେ ମାଣ୍ଡିଆ ଲଡୁ ସାମିଲ ହେବ। କେନ୍ଦୁଝର ଜିଲାରେ ପ୍ରତି ଶିଶୁଙ୍କୁ ସପ୍ତାହରେ ୨ଟି ଓ ସୁନ୍ଦରଗଡ଼ ଜିଲାରେ ୪ଟି ଲେଖାଏ ମାଣ୍ଡିଆ ଲଡୁ ଦିଆଯିବ। ମାଣ୍ଡିଆ ଲଡୁ ପ୍ରସ୍ତୁତି ପାଇଁ ସାମଗ୍ରୀ ମିଶ୍ରଣରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯାଇଛି। ମାଣ୍ଡିଆ ସଂରକ୍ଷଣ, ମାଣ୍ଡିଆ ଚୂନା ପ୍ରସ୍ତୁତି ସମ୍ପର୍କରେ ସେମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ବର୍ତ୍ତମାନ କରୋନା ଯୋଗୁ ଅଙ୍ଗନାଓ୍ବାଡ଼ି ବନ୍ଦ ଥିବାରୁ ଶିଶୁଙ୍କ ଘରେ ଏହି ମିଶ୍ରଣକୁ ଦିଆଯାଉଛି। ଏହି ମିଶ୍ରଣରେ ଲଡୁ ପ୍ରସ୍ତୁତ କରି ପିଲାଙ୍କୁ ଖାଇବାକୁ ଦେବା ପାଇଁ ମା’ମାନଙ୍କୁ ପରାମର୍ଶ ଦିଆଯାଉଛି। ଅଙ୍ଗନଓ୍ବାଡ଼ି ଖୋଲିବା ପରେ ସହାୟିକାମାନେ ନିଜେ ଲଡୁ ପ୍ରସ୍ତୁତ କରି ଶିଶୁଙ୍କୁ ପ୍ରତି ବୁଧବାର ଓ ଶନିବାର ଖାଇବାକୁ ଦେବେ। ଏହାଦ୍ୱାରା ଶିଶୁଙ୍କ ପୋଷଣ ସମସ୍ୟା ଦୂର ହେବା ସହ ମାଣ୍ଡିଆ ଉପତ୍ାଦନ ବୃଦ୍ଧି ପାଇବ ଓ କୃଷକମାନେ ଉପତ୍ାଦନର ଉପଯୁକ୍ତ ମୂଲ୍ୟ ପାଇବେ। ସ୍ଥାନୀୟ ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ନିମନ୍ତେ ରୋଜଗାରର ମାଧ୍ୟମ ସୃଷ୍ଟି ହେବ ବୋଲି ବିଭାଗ ଲକ୍ଷ୍ୟ ରହିଛି।

Share