ରାସ୍ତାରେ ନ ହେଲେ ଗଛମୂଳେ ପିଲା

ଜଳେଶ୍ୱର,୯ା୧(ନବୀନ କୁମାର୍‌ ସାହୁ: ଶିଶୁମାନେ କିପରି ଆବଶ୍ୟକ ପୋଷଣରୁ ବଞ୍ଚିତ ନ ହେବେ ସେନେଇ ସରକାର ଶହ ଶହ ଯୋଜନା କରୁଛନ୍ତି। ପୋଷାକଠାରୁ ଆରମ୍ଭ କରି ପୁଷ୍ଟିକର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଛନ୍ତି। ହେଲେ ବାଲେଶ୍ବର ଜିଲା ଜଳେଶ୍ୱର ବ୍ଲକ ସୁଗୋ ପଞ୍ଚାୟତ ବାଣିଦା ଗ୍ରାମରେ ଥିବା ଅଙ୍ଗନୱାଡି କେନ୍ଦ୍ର-୧ ନାନା ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ନିଜସ୍ବ ଗୃହ ନ ଥିବାରୁ ପିଲାମାନେ କେତେବେଳେ ରାସ୍ତାରେ ନ ହେଲେ କେତେବେଳେ ବାଉଁଶ ଗଛ ତଳେ ବସି ପଢୁଛନ୍ତି।
ସ୍ଥାପିତ ଏହି ଅଙ୍ଗନୱାଡି କେନ୍ଦ୍ରରେ ୧୭ ପିଲା ପଢ଼ନ୍ତି। ପୂର୍ବରୁ ସମ୍ପୃକ୍ତ ଅଙ୍ଗନୱାଡି କର୍ମୀ ଶାନ୍ତିଲତା ଜେନାଙ୍କ ଘରେ ଚାଲି ଆସୁଥିଲା। ଗତ ୪ମାସ ପୂର୍ବେ ସେହି ଅଙ୍ଗନୱାଡି କର୍ମୀ ଜଣେ ନାବାଳକଙ୍କୁ ଘରେ ରଖି ଶିଶୁ ଶ୍ରମିକ ଭାବେ ଘର କାମ କରାଉଥିଲେ। ଗ୍ରାମବାସୀ ଏହାକୁ ବିରୋଧ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ଉକ୍ତ ନାବାଳକଙ୍କୁ ଉଦ୍ଧାର କରାଯାଇଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଙ୍ଗନୱାଡି କର୍ମୀ ପିଲାଙ୍କ ଅଭିଭାବକ ଏବଂ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଏହାପରଠାରୁ ଅଙ୍ଗନଓ୍ବାଡି କର୍ମୀ ପିଲାମାନଙ୍କ ପ୍ରତି ରୁକ୍ଷ ବ୍ୟବହାର କରିଥିବା ଅଭିଭାବକମାନେ ଅଙ୍ଗନୱାଡି ସୁପରଭାଇଜରଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ଏ ଦିଗରେ କୌଣସି ଗୁରୁତ୍ୱ ଦିଆ ନ ଯିବାରୁ ପିଲାଙ୍କୁ ଅଙ୍ଗନଓ୍ବାଡି କର୍ମୀଙ୍କ ଘରକୁ ପଠାଇବେନି ବୋଲି ଅଭିଭାବକମାନେ ଅଡି ବସି ଅଙ୍ଗନୱାଡିର ସୁପରଭାଇଜର ଆରାଧନା ସେତୁଆ ଏବଂ ସିଡିପିଓ ଚମ୍ପାମଣି ମୁର୍ମୁଙ୍କୁ ଜଣାଇଥିଲେ। ସୁପରଭାଇଜର ଗୁହାରି ଶୁଣିବା ବଦଳରେ ଏହାକୁ ହାଲୁକା ଭାବେ ନେଇ ତଡିଦେଇଥିବା ଗ୍ରାମବାସୀ ଶ୍ରୀଧର ଜେନା, ଅଶୋକ ଘଡେଇ, ଯାମିନୀକାନ୍ତ ପାତ୍ର, ନରସିଂହା ହେମ୍ବ୍ରମ, ଟୁନା ହଁାସଦା, ସୁଜୟ ହାଁସଦା, ରାଧୁ ଟୁଡୁ, ରୁହିୟା ଟୁଡୁ, ଝରଣା ଘଡେଇ, ଅନୁପମା ଜେନା ଓ ପ୍ରତିମା ଦଳେଇ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେଙ୍କୁ ପଚାରିବାରୁ ଖୁବ୍‌ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଏନେଇ ସରପଞ୍ଚ ଜୟନ୍ତୀ ପରିଡା କହିଛନ୍ତି, ଘଟଣା ସବୁ ସତ ଏବଂ ସେଠାରୁ ତୁରନ୍ତ ସୁପରଭାଇଜରଙ୍କ ବଦଳି ସହିତ ଗ୍ରାମବାସୀଙ୍କ ନାମରେ ଥିବା ମିଛ ମାମଲା ପ୍ରତ୍ୟାହାର, ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ସହିତ ବର୍ତ୍ତମାନ ସମୟରେ ସ୍କୁଲ ଘରେ ଅଙ୍ଗନୱାଡି ଚଲାଇବା ପାଇଁ କୁହାଯାଇଛି। ଅଙ୍ଗନୱାଡି କର୍ମୀ ଶାନ୍ତିଲତା ଜେନାଙ୍କୁ ପଚାରିବାରୁ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ। ସିଡିପିଓ ଚମ୍ପାବତୀ ମୁର୍ମୁ କୁହନ୍ତି, ଘଟଣାର ତଦନ୍ତ ସହ ସମସ୍ୟାର ସମାଧାନ କରାଯିବ। ସ୍କୁଲ ଘରେ ଅଙ୍ଗନୱାଡି ହେବା ପାଇଁ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ପାଖରେ ଦରଖାସ୍ତ ଦିଆସରିଛି ଏବଂ ସ୍ଥାୟୀ ଘର ନିର୍ମାଣପାଇଁ ଜାଗା ଚିହ୍ନଟ ସରିଛି ବୋଲି ସିଡିପିଓ ସୂଚନା ଦେଇଛନ୍ତି।