ଅଙ୍ଗନଓ୍ବାଡ଼ି କେନ୍ଦ୍ର ସାଜିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ

ବାଲିଗୁଡ଼ା,୨୮ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାଟାଗୁଡ଼ା ପଞ୍ଚାୟତ ମୁଣ୍ଡାପଡ଼ା ଗ୍ରାମ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଦେଖିବାକୁ ମିଳିଛି ମଦ ବୋତଲ। କୋମଳମତି ଛାତ୍ରୀଛାତ୍ରଙ୍କ ଶିକ୍ଷାଦାନ ପାଇଁ ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ଆଜି ମଦୁଆଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ସରକାର ଶିକ୍ଷାଦାନ ପାଇଁ ଅନେକ ପ୍ରକାର ଯୋଜନା କରିଥିବା ବେଳେ ଏହି ସ୍ଥାନରେ ପିଲାମାନଙ୍କର ଭବିଷ୍ୟତ ଅସୁରକ୍ଷିତ ଦେଖାଯାଉଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ର ଗୃହ ସମ୍ମୁଖରେ ବେଆଇନ ମଦ ଦୋକାନ ଥିବାରୁ ମଦ୍ୟପମାନେ ଦିନରାତି ସେଠାରେ ବସି ମଦ ପିଉଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ସମ୍ମୁଖରେ ମୁଖ୍ୟ ଫାଟକ ନ ଥିବାରୁ ଏଥିପାଇଁ ଏଭଳି ଘଟଣା ଘଟୁଛି। ମୁଖ୍ୟ ଫାଟକ ତିଆରି କରିବା ନିମନ୍ତେ ସିଡିପିଓ ଏବଂ ବିଡିଓଙ୍କୁ ମୁଣ୍ଡାପଡ଼ା ଅଙ୍ଗନଓ୍ବାଡ଼ି କର୍ମୀ ପ୍ରଭାତୀ ପ୍ରଧାନଙ୍କ ସମେତ ଗ୍ରାମବାସୀ ଜଣାଇ ଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟକାରୀ ହେଉନାହିଁ ବୋଲି କହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସିଡିପିଓ ଏବଂ ବିଡିଓଙ୍କୁ ପଚାରିବାରୁ ସେ ମୁଖ୍ୟ ଫାଟକ ସମେତ ଚତୁଃପାର୍ଶ୍ୱରେ ପାଚେରୀ ନିର୍ମାଣ ପାଇଁ ଅନୁମତି ମାଗିଛୁ, ଅନୁମତି ମିଳିଲେ ତୁରନ୍ତ ନିର୍ମାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।

Share