Advertisement

ବନ ସୁରକ୍ଷା ସମିତି ଗୃହ ବାରଣ୍ଡାରେ ଅଙ୍ଗନୱାଡି କେନ୍ଦ୍ର

ନନ୍ଦପୁର,୨୪l୩(ଡି.ଏନ.ଏ.): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ଅଞ୍ଚଳ ପାଡୁଆ ପଞ୍ଚାୟତର ଗୁମିଗୁଡା ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଫଳରେ ଏହି କେନ୍ଦ୍ରଟି ଏବେ ଗ୍ରାମରେ ଥିବା ବନ ସୁରକ୍ଷା ସମିତି ଗୃହ ବାରଣ୍ଡାରେ ଚାଲିଛି। ଏଠାରେ ଗୁମିଗୁଡ଼ା ଓ ଗତରକଣ୍ଡା ଗ୍ରାମର ୩୦ରୁ ଉଦ୍ଧ୍ୱର୍ର୍ ଶିଶୁ ବସି ପାଠ ପଢ଼ୁଛନ୍ତି। ଏହା ସମାଜ ମଙ୍ଗଳ ବିଭାଗ, ଜିଲା ପ୍ରଶାସନ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର କାର୍ଯ୍ୟକାରିତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଅଙ୍ଗନଓ୍ବାଡି ଗୃହ ନ ଥିବା ନେଇ ୨ ଗ୍ରାମବାସୀଙ୍କ ତରଫରୁ ପ୍ରଶାସନକୁ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଅଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।
ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଗାଲଗାଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ର ଅଧୀନରେ ଥିବା ଦୁଇ ଗ୍ରାମ ଗୁମିଗୁଡା ଓ ଗତରକଣ୍ଡାକୁ ଦୂରତା ଓ ପିଲା ସଂଖ୍ୟାକୁ ଦୃଷ୍ଟିରେ ରଖି ନୂତନ ଗୁମିଗୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ର ସୃଷ୍ଟି କରାଯାଇ କର୍ମୀ ଓ ସହାୟକ ନିଯୁକ୍ତି ଦିଆଯାଇଛି। ଏହି କେନ୍ଦ୍ର ବନ ସୁରକ୍ଷା ସମିତି ଗୃହ ବାରଣ୍ଡାରେ ଚାଲିଛି। ନିଜସ୍ବ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟଳୟ ତରଫରୁ ଜିଲା ମଙ୍ଗଳ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ମଞ୍ଜୁରୀ ମିଳିଲେ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ଲକରେ ଥିବା ୨୪୦ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୨୦ରୁ ଉର୍ଦ୍ଧ୍ୱ କେନ୍ଦ୍ର ବ୍ଲକ ପ୍ରଶାସନ ଓ ଡିପିଇପି ଦ୍ୱାରା ଦୀର୍ଘଦିନ ହେଲା ଅର୍ଦ୍ଧର୍ନିମିତ ଅବସ୍ଥାରେ ରହିଛି। ଅଧାପନ୍ତରିଆ କେନ୍ଦ୍ରଗୁଡ଼ିକରେ ପ୍ରାକ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଏଥିପ୍ରତି ଦୃଷ୍ଟି ଦେବାକୁ ନନ୍ଦପୁର ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ସମସ୍ତ ମଣ୍ଡଳ ପରିଦର୍ଶକ ଅନୁରୋଧ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share