୩୧ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ର ବନ୍ଦ

ଭୁବନେଶ୍ୱର,୨।୭ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ଓ ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକୁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ବୁଧବାର ସୂଚନା ଦିଆଇଛି। ଏଥିସହ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟକ୍ରମ (ଆଇସିଡିଏସ୍‌) ଅଧୀନରେ ଗର୍ଭବତୀ, ପ୍ରସୂତି ଓ ଶିଶୁଙ୍କ ଘରେ ଶୁଖିଲା ରାଶନ ପହଞ୍ଚାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ସୂଚନାନୁସାରେ, ପୂର୍ବରୁ ଜୁନ୍‌ ୩୦ ପର୍ଯ୍ୟନ୍ତ ଶୁଖିଲା ରାଶନ ମିଳିଥିଲା। ଏବେ ଜୁଲାଇ ମାସ ପାଇଁ ଶୁଖିଲା ରାଶନ ପ୍ରଦାନ କରାଯାଇଛି। ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ୩ରୁ ୬ ବର୍ଷ ବୟସର ଶିଶୁଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟ ବଦଳରେ ଶୁଖିଲା ରାଶନ ମିଳୁଛି। ଇତିମଧ୍ୟରେ ରାଜ୍ୟର ୪୨ ଲକ୍ଷ ଗର୍ଭବତୀ, ପ୍ରସୂତି ଓ ୬ ମାସରୁ ୬ ବର୍ଷ ବୟସର ଶିଶୁ ଏହାଦ୍ୱାରା ଉପକୃତ ହୋଇଛନ୍ତି। ଏହାବ୍ୟତୀତ ଓଡ଼ିଶାକୁ ଫେରିଥିବା ପ୍ରବାସୀଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀଙ୍କୁ ସମନ୍ବିତ ପୁଷ୍ଟିସାଧନ ଯୋଜନାରେ ଅନ୍ତର୍ଭୁକ୍ତ କରି ଶୁଖିଲା ରାଶନ ଦେବା ନିମନ୍ତେ ବିଭାଗ ତରଫରୁ ଜିଲା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏବେସୁଦ୍ଧା ରାଜ୍ୟକୁ ଫେରି ଅଙ୍ଗନଓ୍ବାଡ଼ି ସେବା ପାଇଁ ତାଲିକାଭୁକ୍ତ ହୋଇଥିବା ୫ହଜାର ୫୩୮ ଗର୍ଭବତୀ ଓ ୨୩ ହଜାର ୮୦୮ଜଣ ଶିଶୁଙ୍କୁ ଶୁଖିଲା ରାଶନ ଯୋଗାଇ ଦିଆଯାଇଛି।
ଅନ୍ୟପକ୍ଷରେ ଛତୁଆ ମିଶ୍ରଣ ଓ ବଣ୍ଟନରେ ସ୍ବଚ୍ଛତା ଆଣିବା ତଥା ଏହାର ଗୁଣାତ୍ମକ ମାନ ବଜାୟ ରଖିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ଛତୁଆ’ ଆପ୍‌ର ବିକାଶ କରାଯାଇଛି। ଏହି ଆପ୍‌ରେ କଞ୍ଚାମାଲ ସଂଗ୍ରହଠାରୁ ବଣ୍ଟନ ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଉପଲବ୍ଧ ହେଉଛି। ଏସବୁ ତଦାରଖ କରିବା ନିମନ୍ତେ ସମନ୍ବିତ ଶିଶୁ ବିକାଶ ଯୋଜନାର କ୍ଷେତ୍ର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷକରି ଗୁରୁତର ପୁଷ୍ଟିହୀନ ଶିଶୁ(ସାମ୍‌) ଏବଂ ମଧ୍ୟମ ଧରଣର ପୁଷ୍ଟିହୀନ ଶିଶୁଙ୍କ(ମାମ୍‌) ପୁଷ୍ଟିସାଧନ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବାକୁ ବିଭାଗ ତରଫରୁ ଜିଲାପାଳମାନଙ୍କୁ ଅନୁରୋଧ କରାଯାଇଛି।

Share