ଚମ୍ପୁଆ, ୧୫ା୯(ଡି.ଏନ୍.ଏ): ଚମ୍ପୁଆ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିନରେ ଥିବା ଟୁଣୁଟୁଣା ଭୂମିଜ ସାହି ମିନି ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ୨୦୦୮ରୁ ଅଙ୍ଗନୱାଡି କର୍ମୀ କୌଶଲ୍ୟା କାରୁଆ ନିଜ ଘରେ କାର୍ଯ୍ୟ ତୁଲାଉଥିବା ବେଳେ କୁନି କୁନି ପିଲାମାନଙ୍କର ଭବିଷ୍ୟତ ଗଢୁଛନ୍ତି। ଉକ୍ତ ଟାଇଲ ଛପର ଘରେ ବର୍ଷା ଦିନେ ପାଣି ଗଳୁଥିବାରୁ ତାହା ଉପରେ ପଲିଥିନ ପକାଇ ଶିଶୁମାନଙ୍କୁ ଶିକ୍ଷାଦାନ ଦେଉଛନ୍ତି। ଦୀର୍ଘ ୩ ବର୍ଷ ତଳେ ଭୂମିଜ ସାହିରେ ଏକ ଅଙ୍ଗନୱାଡି ଘର ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ନ ହେବାରୁ କର୍ମୀଜଣକ ବାଧ୍ୟ ହୋଇ ପିଲାମାନଙ୍କୁ ନିଜ ଘରେ ପାଠ ପଢାଉଛନ୍ତି। ଅଧିକ ବର୍ଷା ହେଲେ ପିଲାମାନଙ୍କୁ ନିକଟରେ ଥିବା ଏକ ଗୃହକୁ ସ୍ତାନାନ୍ତର କରି ଶିକ୍ଷାଦାନ ସହିତ ଖାଦ୍ୟ ପ୍ରଦାନ କରାଯାଉଛି। ଏ ନେଇ ସିଡିପିଓ ସୀତା ମୁର୍ମୁଙ୍କୁ ପଚାରିବାରୁ କହିଛନ୍ତି ଯେ, ଏହି ଅସୁବିଧା ସମ୍ବନ୍ଧରେ ଚମ୍ପୁଆ ବିଡିଓ ଓ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ଖୁବଶୀଘ୍ର ଏହାର ସମାଧାନ ହେବ ବୋଲି ଆଶା ରଖିଛୁ।