ଅବ୍ୟବସ୍ଥାରେ କୁସୁମଗାଡ଼ିଆ ଅଙ୍ଗନଓ୍ବାଡି କେନ୍ଦ୍ର

ନୂଆଗାଁ,୨।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଗୁମୀ ପଞ୍ଚାୟତ କୁସୁମଗାଡ଼ିଆ ଗ୍ରାମରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ୩ ମାସ ହେଲା ଶିଶୁମାନଙ୍କୁ ଅଣ୍ଡା ମିଳୁନାହିଁ। ୮ବର୍ଷ ହେଲା ଉକ୍ତ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ନିଜସ୍ବ ଘର ନାହିଁ। ଅଙ୍ଗନଓ୍ବାଡି କର୍ମୀଙ୍କ ଘରେ ସେହି କେନ୍ଦ୍ର ଚାଲିଛି।
କୁସୁମଗାଡ଼ିଆ ଗ୍ରାମର ଗର୍ଭବତୀ, ପ୍ରସୂତି ମହିଳା ଓ ଶିଶୁମାନଙ୍କ ଦାୟିତ୍ୱ ନେବା ସହ ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଖେଳକୁଦ ମାଧ୍ୟମରେ ସେମାନଙ୍କ ଯତ୍ନ ନେବା ପାଇଁ ମିନି ଅଙ୍ଗନଓ୍ବାଡି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଦୀର୍ଘ ୮ ବର୍ଷ ହେଲା ମିନି ଅଙ୍ଗନଓ୍ବାଡି ପ୍ରତିଷ୍ଠା କରାଯାଇଥିଲେ ମଧ୍ୟ ଅଦ୍ୟାବଧି ନିଜସ୍ବ ଗୃହ ନିର୍ମାଣ କରାଯାଇ ନାହିଁ । ଯାହା ଫଳରେ କର୍ମୀ ନିଜ ଘରେ କେନ୍ଦ୍ରର ସମସ୍ତ କାମ କରିବା ସହ ଶିଶୁମାନଙ୍କୁ ରୋଷେଇ କରି ଦେଉଛନ୍ତି। ଉକ୍ତ କେନ୍ଦ୍ରରେ ୫ ଜଣ ଶିଶୁଙ୍କ ନାମ ଲେଖା ଯାଇଛି । ତେବେ ଉକ୍ତ ଶିଶୁମାନଙ୍କୁ କେଉଁ ଦିନ ଖାଦ୍ୟ ଦିଆ ଯାଉଛି ତ କେଉଁ ଦିନ ଦିଆ ଯାଉ ନାହିଁ । ଏପରିକି ୩ ମାସ ହେଲା ପ୍ରି ସ୍କୁଲ ଶିଶୁମାନଙ୍କୁ ଅଣ୍ଡା ଦିଆଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗର ସତ୍ୟାସତ୍ୟ ଜାଣିବା ପାଇଁ ଆମ ଖବରଦାତା କୁସୁମଗାଡିଆ ଗ୍ରାମରେ ପହଞ୍ଚତ୍ ଥିବା ବେଳେ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଚାଲୁଥିବା କର୍ମୀଙ୍କ ଘରେ ତାଲା ଝୁଲୁଥିଲା । ଗ୍ରାମବାସୀଙ୍କୁ ପଚାରିବାରେ କର୍ମୀ କୌଣସି ଜଣେ ସମ୍ପର୍କୀୟଙ୍କ ଭୋଜିକୁ ଯାଇଥିବା କହିଥିଲେ। କର୍ମୀଙ୍କ ଅନୁପସ୍ଥିତ ଓ ଅଣ୍ଡା ନ ଦେବା ବାବଦରେ ସୁପରଭାଇଜର ମଞ୍ଜୁଶ୍ରୀ ପଣ୍ଡାଙ୍କୁ ପଚାରିବାରେ କୁସୁମଗାଡିଆ କର୍ମୀ ଡିମିରପଲି କେନ୍ଦ୍ରରେ ଛୁଟି ଦରଖାସ୍ତ ଦେଇ ଯାଇଛନ୍ତି। ସେ ଶିଶୁମାନଙ୍କୁ ଖାଦ୍ୟ ଦେଇ ନ ଥିବାରୁ ତାଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି ହେବ । ଅଣ୍ଡା ନ ଦେବା ବାବଦରେ ତାଙ୍କୁ ବୁଝିବା ପରେ କହିବି ବୋଲି ସେ କହିଛନ୍ତି। ଅଭିଯୋଗ ବାବଦରେ କୁସୁମଗାଡିଆ ଅଙ୍ଗନଓ୍ବାଡି କର୍ମୀ ରୀନାରାଣୀ ପ୍ରଧାନଙ୍କୁ ଯୋଗଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।