ପୋଖରୀରେ ବୁଡ଼ି ଅଙ୍ଗନଓ୍ବାଡି ଶିଶୁ ମୃତ, ଜଣେ ଗୁରୁତର

ଠାକୁରମୁଣ୍ଡା,୨୦ା୭(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ କେଶଡ଼ିହା ପଞ୍ଚାୟତ ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଅଙ୍ଗନଓ୍ବାଡିରୁ ଛୁଟି ହୋଇ ଘରକୁ ଫେରୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ମୃତ ଶିଶୁ ଜଣକ ଖେଡ଼ିଆପୋଷି ଗ୍ରାମର ଜୀବନ ନାଏକଙ୍କ ୫ ବର୍ଷର ପୁଅ ଶୁଭମ୍‌ ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଥିବା ଶିଶୁ ଜଣକ ହେଲେ ସେହି ଗ୍ରାମର ଟିକିନା ପାଇଦାଙ୍କ ୬ ବର୍ଷର ପୁଅ ଭୂମି।

ସୂଚନାନୁଯାୟୀ, ମଧ୍ୟାହ୍ନରେ ଗ୍ରାମରେ ଥିବା ଅଙ୍ଗନଓ୍ବାଡି ଛୁଟି ହୋଇ ଯାଇଥିଲା। ୪/୫ ଜଣ ଶିଶୁ ବିଲ ହିଡ଼ରେ ଚାଲି ଚାଲି ଘରକୁ ଫେରୁଥିଲେ। ଫେରିବା ବାଟରେ ବିଲ ମଧ୍ୟରେ ଗୋଟିଏ ନୂଆ ପୋଖରୀ ଖୋଳା ଯାଇଥିଲା। ଏହି ଦୁଇ ଶିଶୁ ପୋଖରୀ ଭିତରକୁ ପଶି ଯାଇ ବୁଡ଼ି ଯାଇଥିଲେ। ବୁଡି ଯାଉଥିବା ଦେଖି ଅନ୍ୟ ଶିଶୁମାନେ ପାଟି କରିଥିଲେ। ପାଟି ଶୁଣି ଆଖପାଖରେ ଥିବା ଲୋକମାନେ ବୁଡ଼ି ଯାଇଥିବା ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲେ। ପରିବାର ଲୋକେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଶୁଭମକୁ ମୃତ ଘୋଷଣା କରିଥିଲେ। ଭୂମିଙ୍କୁ ଡାକ୍ତର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରରେ ସିଡିପିଓ ପ୍ରେମଲତା ସେଠୀ ପହଞ୍ଚିଛନ୍ତି। ସେ କହିଛନ୍ତି, ଅଙ୍ଗନଓ୍ବାଡି ଛୁଟି ହେବା ପରେ ପିଲାମାନେ ତାଙ୍କ ନିଜ ନିଜ ଘରେ ପହଞ୍ଚିଥିଲେ। ପରେ ଏହି ଅଘଟଣ ଘଟିଛି।