ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ

କୁଆଁରମୁଣ୍ଡା,୨୬।୦୫(ଡିଏନଏ): ସର୍ଭେ କରିବା ସମୟରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରାରେ ପଛୁଆ ବର୍ଗ ସର୍ଭେ କରିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାରୁ ପରିବାର ଲୋକେ ଶୁକ୍ରବାର ବଡି ଭୋରରୁ ତାଙ୍କୁ ନିକଟସ୍ଥ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଅଙ୍ଗନୱାଡି କର୍ମୀ ଜଣଙ୍କ ହେଉଛନ୍ତି, ସୁନ୍ଦରଗଡ ଜିଲା କୁଆଁରମୁଣ୍ଡା ବ୍ଲକ କାଦୋବାହାଲ ପଞ୍ଚାୟତ ଘୁନ୍ଟିଛା ପଲ ଅଙ୍ଗନୱାଡ଼ି କେନ୍ଦ୍ର କର୍ମୀ ମେରି ରୋସାଲିଆ ଟପ୍ପୋ(୫୬) । ଏହି ଖବର ପ୍ରଚାର ହୋଇଯିବା ପରେ ବ୍ଲକ ଅଞ୍ଚଳର ଶତାଧିକ ଅଙ୍ଗନୱାଡି କର୍ମୀ ବୀରମିତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଛନ୍ତି। ସେଠାରେ ମୃତଦେହ ରଖି ଆନ୍ଦୋଳନ କରିବା ସହ ପ୍ରଶାସନ ନିକଟରେ ଉପଯୁକ୍ତ କ୍ଷତିପୂରଣ ନିମନ୍ତେ ଦାବି କରିଛନ୍ତି। ସକାଳୁ ଆନ୍ଦୋଳନ ଚାଲିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ଦାବି ପୁରଣ ନିମନ୍ତେ ପ୍ରତିଶ୍ରୁତି ଦିଆଯାଇ ନାହିଁ।

Share