ବ୍ରିଜ୍‌ ଉପରେ ସ୍କୁଟି, ମୋବାଇଲ, ଆଧାରକାର୍ଡ ରଖି ଭରାନଦୀକୁ ଡେଇଁଲେ ଅଙ୍ଗନଓ୍ବାଡ଼ି ସୁପରଭାଇଜର

ଯାଜପୁର ସଦର,୧୯ା୯(ସମୟ ବିଜୟ ଶରଣ): ଯାଜପୁର ବ୍ଲକ ଅନ୍ତର୍ଗତ ବରୁଆଁ ନିକଟସ୍ଥ ଖରସ୍ରୋତା ନଦୀକୁ ଡେଇଁ କୁଆଖିଆ ଥାନା ଅନ୍ତର୍ଗତ ଶ୍ରିବନ୍ତପୁର ଅଞ୍ଚଳର ମନ୍ଦାକିନୀ ସାମଲ ନିଖୋଜ ଅଛନ୍ତି। ଗୁରୁବାର ସକାଳେ ମନ୍ଦାକିନୀ ନିଜ ସ୍କୁଟି ଯୋଗେ ଆସି ବ୍ରିଜ୍‌ ଉପରେ ସ୍କୁଟି, ଜୋତା ଓ ମୋବାଇଲ ଥୋଇ ଭରା ନଦୀକୁ ଡ଼େଇଁ ପଡ଼ିଲେ।ସେ ଅଙ୍ଗନୱାଡ଼ି ସୁପରଭାଇଜର ଭାବେ କାର୍ଯ୍ୟ କରନ୍ତି। ପାରିବାରିକ କଳହ ପାଇଁ ସେ କିଛି ଦିନ ହେଲା ଏକାକୀ ଭଡ଼ା ଘର ନେଇ ରହୁଥିଲେ। ଖବର ପାଇ ବରୁଆଁ ଅଗ୍ନିଶମବାହିନୀ ନଦୀରେ ଖୋଜାଖୋଜି ଜାରି ରଖିଛନ୍ତି। ସଦର ପୋଲିସ ଘଟଣାସ୍ଥଳରୁ ସ୍କୁଟି, ମୋବାଇଲ ଆଧାରକାର୍ଡ ଜବତ କରିଛି।

ଘଟଣାସ୍ଥଳରେ ଅତିରିକ୍ତ ତହସିଲଦାର ଅଜୟ କୁମାର ପଣ୍ଡା ମାଜିଷ୍ଟ୍ରେଟ୍‌ ଭାବେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏହି ବ୍ରିଜ୍‌ ଉପରେ ବାରମ୍ବାର ଏଭଳି ଆତ୍ମହତ୍ୟା ଘଟଣା ଘଟୁଥିବାରୁ ଏହି ପୋଲ ବାଡ଼ାକୁ ଅଧିକ ଉଚ୍ଚ କରିବା ପାଇଁ ସାଧାରଣରେ ଦାବି ହୋଇଛି।

Share