କରୋନାରେ ଆଖିବୁଜିଲେ ଅଙ୍ଗନଓ୍ବାଡି କର୍ମୀ, ଶୋକ ପ୍ରକାଶ କଲେ ବାଚସ୍ପତି

ଦିଗପହଣ୍ଡି,୧୦ା୧୦(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମର ଅଙ୍ଗନଓ୍ବାଡ଼ି କର୍ମୀ ପି. ମାଙ୍ଗାମା ପାତ୍ର କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତାଙ୍କ ପରଲୋକ ଖବର ପାଇ ଦିଗପହଣ୍ଡି ବିଧାୟକ ତଥା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର, ଭୀଷ୍ମଗିରି ସରପଞ୍ଚ ପୀତାମ୍ବର ଗୌଡ଼,ଦିଗପହଣ୍ଡି ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଏମ୍‌. ନିରଞ୍ଜନ ରେଡ୍ଡୀ, ସିଡିପିଓ ଯୋଶବନ୍ତୀ ସାହୁ, ସାଧନା ମହିଳା ସଂଘ ସଭାନେତ୍ରୀ ପି. ବିଜୟଲକ୍ଷ୍ମୀ, ସାମାଜିକ କର୍ମୀ ରାମକୃଷ୍ଣ ପାଢ଼ୀ, ଟି. ଶ୍ରୀନିବାସ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। କରୋନାର ଦ୍ରୁତ ସଂକ୍ରମଣ ସମୟରେ ନିଜ ଜୀବନକୁ ବାଜି ଲଗାଇ ଜନସାଧାରଣଙ୍କୁ ସଚେତନ କରିବା ସହ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥାର ରିପୋର୍ଟ ସଂଗ୍ରହ କରିଥିଲେ। ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ବଡ଼ଦାଣ୍ଡ ସାହିର ମାଙ୍ଗାମା ୭ ନଂ. ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ଭାବେ କାର୍ଯ୍ୟ କରିଆସୁଥିଲେ । ଗ୍ରାମର କରୋନା ସଙ୍ଗରୋଧ କେନ୍ଦ୍ରରେ ନିୟୋଜିତ ଥିବା ସମୟରେ ସେ ସାମାନ୍ୟ ଜ୍ବରରେ ପୀଡ଼ିତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ସିଟି ହସ୍ପିଟାଲ ଓ ପରେ ଏମ୍‌କେସିଜି ମେଡିକାଲରେ ଭର୍ତ୍ତି କରାଇଥିଲେ। ଜ୍ୱର ନ ଛାଡ଼ିବାରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଶୀତଳାପଲ୍ଲୀସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି।

Share