ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏଶନର ଦାବି ସମୂହ ପ୍ରତି ସରକାର ଅଣଦେଖା ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଛି। ଏହି କ୍ରମରେ ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍ ୱାର୍କର୍ସ ଆସୋସିଏଶନ ବରଗଡ଼ ଜିଲା ଶାଖା ପକ୍ଷରୁ ବିକ୍ଷୋଭ ଶୋଭାଯାତ୍ରା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଜିଲାର ସମସ୍ତ ବ୍ଲକର ଅଙ୍ଗନୱାଡି କର୍ମୀମାନେ ସ୍ଥାନୀୟ ଲୋକମଣ୍ଡପ ପଡ଼ିଆରେ ଏକାଠି ହୋଇଥିଲେ। ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ସେମାନେ ବାହାରିଥିଲେ। ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦ କରି ଦେଇଥିଲା। ଫଳରେ ସେମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ଦାବି ସମୂହ ନେଇ ନାରାବାଜି କରିଥିଲେ। ଅତିରିକ୍ତ ଜିଲାପାଳ ସାହୁ ସେଠାକୁ ପହଞ୍ଚତ୍ବା ପରେ ଆସୋସିଏଶନ ପକ୍ଷରୁ ତାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।
ସ୍ମାରକପତ୍ରରେ ୬ଦଫା ଦାବି କରାଯାଇଛି। ଇପିଏସ୍-୯୫ ଅନୁଯାୟୀ ସର୍ବନିମ୍ନ ୫ହଜାର ଟଙ୍କା ପେନସନ ତୁରନ୍ତ ପ୍ରଦାନ କରିବା ସହ ଶେଷରେ ଦରମାର ୫୦ପ୍ରତିଶତ ଓ ମହଙ୍ଗା ଭତ୍ତା ପ୍ରଦାନ, ଇପିଏଫ୍ ଦରମା ସୀମା ୧୫ହଜାରରୁ ୩୦ହଜାର ଟଙ୍କା ଏବଂ ଇଏସ୍ଆଇସି ଦରମା ସୀମା ୨୧ହଜାରରୁ ୪୨ହଜାର ଟଙ୍କାକୁ ବୃଦ୍ଧି, ସାର୍ବଜନୀନ ସମ୍ପତ୍ତି ବିକ୍ରି ତୁରନ୍ତ ବନ୍ଦ କରିବା, ବୀମା ଓ ଆର୍ଥିକ କ୍ଷେତ୍ରରେ ଶହେ ପ୍ରତିଶତ ନିବେଶକୁ ନିଷିଦ୍ଧ କରାଯିବା, ଯୋଜନା କର୍ମୀଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ସମାନ ଦରମା ଓ ସାମାଜିକ ସୁରକ୍ଷା ପ୍ରଦାନ ଏବଂ ଅସଙ୍ଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ କରିବାକୁ ସ୍ମାରକପତ୍ରରେ ଦାବି ହୋଇଛି। ଆସୋସିଏଶନର ବରଗଡ଼ ଜିଲା ସଭାପତି ବବଲି ପୂଝାରୀ, ସମ୍ପାଦିକା ରୀତା ପୂଝାରୀ, ପୂର୍ବତନ ସମ୍ପାଦିକା ଜ୍ୟୋତ୍ସ୍ନାମୟୀ ପାଢ଼ୀ ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ।