ଅଙ୍ଗନବାଡି କର୍ମୀଙ୍କ ବହିଷ୍କାର ଦାବି: ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ବାଲେଶର ଅଫିସ, ୫।୧: ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ସାନତାଳପଦା ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ କର୍ମୀ ମମତା ଜେନାଙ୍କ ବଦଳି ଦାବି ନେଇ ମଙ୍ଗଳବାର ବାଲିଆପାଳ ସିଡିପିଓ ଅଫିସ ସମ୍ମୁଖରେ ଗ୍ରାମବାସୀମାନେ ଧାରଣାରେ ବସିଛନ୍ତି। ଧାରଣାରତ ଗ୍ରାମବାସୀଙ୍କ ସୂତ୍ରରୁ ଜଣାଯାଇଛି ଯେ, ଅଙ୍ଗନବାଡି କର୍ମୀ ମମତା ଜେନାଙ୍କ ନାମରେ ପୂର୍ବରୁ ଦୁର୍ନୀତି କାରବାରରେ ଲିପ୍ତ ରହୁଥିବା ନେଇ ଅଭିଯୋଗ ହୋଇଥିଲା। କେନ୍ଦ୍ରକୁ ଆସୁଥିବା ଖାଦ୍ୟ ସାମଗ୍ରୀ ଠିକ୍‌ ଭାବେ ବଣ୍ଟନ କରୁ ନ ଥିଲେ, ଅଭିଯୋଗ ପରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନିଲମ୍ବିତ କରାଯାଇ ଥିଲା। ତାଙ୍କ ସ୍ଥାନରେ ଜାମକୁଣ୍ଡା- ୨ ଅଙ୍ଗନବାଡି କର୍ମୀ କାର୍ଯ୍ୟ ତୁଲାଉଥିଲେ। ମାତ୍ର ପୂନର୍ବାର ଗ୍ରାମବାସୀଙ୍କ ଅଗୋଚରରେ ପୁଣି ସେହି ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରେ ଯୋଗଦେଇ ଥିଲେ। ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବାଧ୍ୟ ହୋଇ ତୁରନ୍ତ ବହିଷ୍କାର ଦାବି ନେଇ ଗ୍ରାମବାସୀମାନେ ଧାରଣା ଦେଇଛନ୍ତି ବୋଲି ଗ୍ରାମବାସୀ ଲକ୍ଷ୍ମୀ ଦଳାଇ, ପ୍ରଦୀପ୍ତ କିଶୋର ରାଜ ପ୍ରକାଶ କରିଛନ୍ତି ।