୨୧ରୁ ଅଙ୍ଗନଓ୍ବାଡ଼ିଙ୍କ କାର୍ଯ୍ୟବନ୍ଦ

ରେଢ଼ାଖୋଲ,୧୪ା୧୧(ଡି.ଏନ.ଏ.): ଭାରତୀୟ ମଜଦୁର୍‌ ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ଼ ୱାର୍କର୍ସ ଆସୋସିଏଶନ ରେଢାଖୋଲ ଶାଖା ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଉପଜିଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶାଖା ସଭାନେତ୍ରୀ ବିଜୟଲକ୍ଷ୍ମୀ ନନ୍ଦ, ସମ୍ପାଦକ କିଶୋରୀ ପ୍ରଧାନଙ୍କ ନେତୃତ୍ୱରେ ଅଙ୍ଗନଓ୍ବାଡି କର୍ମୀମାନେ ଏକ ଶୋଭାଯାତ୍ରାରେ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହାର ନକଲ ମହିଳା ଶିଶୁକଲ୍ୟାଣ ଓ ମିଶନଶକ୍ତି ମନ୍ତ୍ରୀ, ସଚିବ, ନିର୍ଦ୍ଦେଶକ ଓଡ଼ିଶା ଏବଂ ଜିଲାପାଳ ସମ୍ବଲପୁରଙ୍କୁ ପ୍ରଦାନ କରିଛନ୍ତି।

ଦାବି ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନିଆ ନ ଗଲେ ଆସନ୍ତା ୨୧ ତାରିଖରୁ ଅଙ୍ଗନଓ୍ବାଡି କର୍ମୀ ସମୂହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି, ସରକାର ଅନ୍ୟ ବିଭାଗର କର୍ମଚାରୀଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। ହେଲେ ଅଙ୍ଗନଓ୍ବାଡି କର୍ମୀମାନେ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟର ସଫଳ ରୂପାୟନ କରୁଥିବା ବେଳେ ସେମାନଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପ୍ରତିପୋଷଣ କରୁଛନ୍ତି। ଦୀଘଦିନ ଧରି ଅଙ୍ଗନଓ୍ବାଡି କର୍ମଚାରୀଙ୍କ ଦରମା ବୃଦ୍ଧି ଓ ଅବସରକାଳୀନ ସହାୟତା ରାଶି ବୃଦ୍ଧି କରିବା ପାଇଁ ଦାବି କରିଆସୁଥିବା ବେଳେ ଏ ଦିଗରେ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଓଲଟା କାର୍ଯ୍ୟଭାର ବୃଦ୍ଧି କରିଚାଲିଛନ୍ତି।