ଚେହେରା ଦେଖାଇଲେ ଇରାନର ଆଞ୍ଜେଲିନା ଜୋଲି

ତେହେରାନ: ଇରାନର ‘ଜୋମ୍ବି ଆଞ୍ଜେଲିନା ଜୋଲି’ ନାମରେ ପରିଚିତ ସହର ତବର ଜେଲରୁ ମୁକୁଳିବା ପରେ ନିଜ ଚେହେରା ଦେଖାଇଛନ୍ତି। ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସେ ସବୁବେଳେ ପ୍ରସିଦ୍ଧି ଲାଭ କରିବାକୁ ଚାହୁଁଥିଲେ ଏବଂ ଏଥି ସକାଶେ ଭୟଙ୍କର ମେକ୍‌ଅପ୍‌ ନେବାକୁ ପସନ୍ଦ କରୁଥିଲେ ବୋଲି ସହର କହିଛନ୍ତି।
ଇନ୍‌ଷ୍ଟାଗ୍ରାମ୍‌ରେ ହଲିଉଡ୍‌ ଅଭିନେତ୍ରୀ ଆଞ୍ଜେଲିନା ଜୋଲିଙ୍କ ସଦୃଶ ନିଜର ବିଦ୍ରୂପାମତ୍କ ଫଟୋ ପୋଷ୍ଟ କରି ରାତାରାତି ପ୍ରସିଦ୍ଧି ପାଇଥିବା ଏହି ଯୁବତୀଙ୍କୁ ୨୦୧୯ ଅକ୍ଟୋବରରେ ଦୁର୍ନୀତି ଓ ଈଶ୍ୱର ନିନ୍ଦା ଅଭିଯୋଗରେ ଗିରଫ କରାଯାଇଥିଲା। ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। କିନ୍ତୁ ଇରାନରେ ଗତମାସରେ ମହସା ଅମିନୀଙ୍କ ମୃତ୍ୟୁ ପରେ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ତାଙ୍କୁ ମୁକ୍ତ କରାଯାଇଛି। ୨୧ ବର୍ଷୀୟା ସହର ନିଜ ଅସଲ ଚେହେରାକୁ ଲୁଚାଇବା ପାଇଁ କସ୍‌ମେଟିକ୍‌ ସର୍ଜରି କରାଇଥିଲେ। ତାଙ୍କୁ ଜେଲରୁ ମୁକୁଳାଇବା ପାଇଁ ସୋସିଆଲ ମିଡିଆରେ ବିଧିବଦ୍ଧ ଭାବେ ଅଭିଯାନ ଚାଲିଥିଲା। ଆକ୍ଟିଭିଷ୍ଟ ମାଶିହ ଅଲିନେଜାଦ୍‌ଙ୍କ ମତରେ ସହର ତବରଙ୍କୁ ୧୯ ବର୍ଷ ହେଉଥିବାବେଳେ ତାଙ୍କ ବ୍ୟଙ୍ଗ ତାଙ୍କୁ ଜେଲ ଭିତରକୁ ଟାଣିନେଇଥିଲା। ନିରୀହ ଝିଅଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ମା’ ସବୁଦିନ ଲୁହ ଝରାଉଥିଲେ।

Share