Categories: ଖେଳ

ଥମୁନି ବିଶ୍ୱକପ୍‌ର ‘ଟାଇମ୍‌ ଆଉଟ୍‌’ ବିବାଦ: ସାକ୍ଷ୍ୟ ଦେଲେ ମାଥ୍ୟୁସ, ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ଉଠାଇଲେ ପ୍ରଶ୍ନ…

ନୂଆଦିଲ୍ଲୀ,୭।୧୧: ଥମିବାର ନାଁ ନେଉନାହିଁ ବିଶ୍ୱକପ୍‌ ୨୦୨୩ର ଟାଇମ୍‌ ଆଉଟ୍‌ ବିବାଦ। ବାଲାଂଦେଶ ବିପକ୍ଷରେ ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ଅଲରାଉଣ୍ଡର ଆଞ୍ଜେଲା ମାଥ୍ୟୁସଙ୍କୁ ଏହାକୁ ନେଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା। ଏହି ପ୍ରସଙ୍ଗରେ ମାଥ୍ୟୁସ ପ୍ରଥମେ ଅସନ୍ତୋଷ ବ୍ୟକ୍ତ କରିବା ପରେ ଏବେ ଅମ୍ପାୟାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସେ ସମୟ ଥାଇ କ୍ରିଜ୍‌ରେ ପହଞ୍ଚିଥିଲେ ବୋଲି ଭିଡିଓ ସାକ୍ଷ୍ୟ ଥିବା ସ୍କ୍ରିନଶଟ୍‌ ଶେୟାର କରିଛନ୍ତି।

କ୍ରିକେଟ ଇତିହାସରେ କେବେ ଦେଖାଯାଇ ନ ଥିବା ଏକ ବିଚିତ୍ର ଘଟଣାକ୍ରମରେ ବାଲାଂଦେଶ ଅଧିନାୟକ ଶାକିବ ଅଲ ହସନଙ୍କ ଅପିଲ ପରେ ମାଥ୍ୟୁସଙ୍କୁ ଟାଇମ୍‌ ଆଉଟ୍‌ ବୋଲି ଘୋଷଣା କରାଯାଇଥିଲା। ଏହା ଶ୍ରୀଲଙ୍କା ଇନିଂସର ୨୫ତମ ଓଭରରେ ଘଟିଥିଲା। ଶାକିବ ନିଜ ଓଭରର ଦ୍ୱିତୀୟ ବଲ୍‌ରେ ସାଦିରା ସମରଓ୍ବିକ୍ରମଙ୍କୁ ଆଉଟ୍‌ କରିଥିଲେ। ଏହାପରେ ମାଥ୍ୟୁସ ମଇଦାନକୁ ଆସିଥିଲେ। ହେଲେ ସେ ଖେଳିବା ପୂର୍ବରୁ ପିନ୍ଧିଥିବା ହେଲମେଟର ପଟି ଛିଡ଼ି ଯାଇଥିବା ଜାଣିବାକୁ ପାଇଥିଲେ। ସେ ଅମ୍ପାୟାରଙ୍କଠାରୁ ଅନୁମତି ନ ନେଇ ନୂଆ ହେଲମେଟ ମଗାଇଥିଲେ। ନିୟମ ମୁତାବକ ଖେଳାଳିଙ୍କୁ ୨ ମିନିଟ୍‌ ଭିତରେ ଷ୍ଟ୍ରାଇକ୍‌ରେ ଆସିବାକୁ ପଡ଼ିଥାଏ। ଏହି ମାମଲାରେ ଚତୁର୍ଥ ଅମ୍ପାୟାରଙ୍କ ମୁତାବିକ ହେଲମେଟ ଆଣିବା ପୂର୍ବରୁ ମାଥ୍ୟୁସ ବିଳମ୍ବ କରିଥିଲେ। ହେଲେ ମାଥ୍ୟୁସ ଏହାକୁ ସ୍ବୀକାର କରିନାହାନ୍ତି। ସେ ଭିଡିଓ ସାକ୍ଷ୍ୟ ଶେୟାର କରି ଅମ୍ପାୟାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି।

‘ଏକ୍ସ(ପୂର୍ବରୁ ଟୁଇଟର)ରେ ସେ କହିଛନ୍ତି, ‘ଏଠାରେ ଚତୁର୍ଥ ଅମ୍ପାୟାର ଭୂଲ। ଭିଡିଓରୁ ଜଣାପଡ଼ୁଛି ଯେ ହେଲମେଟ ଖରାପ ହେବା ପରେ ବି ମୋ ପାଖରେ ୫ ସେକେଣ୍ଡ ଥିଲା। ଅମ୍ପାୟାର ମହୋଦୟ କ’ଣ ଏଥିରେ ସୁଧାର ଆଣିପାରିବେ। ମୋର ଅର୍ଥ ହେଉଛି ସୁରକ୍ଷା ପ୍ରଥମେ କାରଣ ହେଲମେଟ ବିନା ମୁଁ ବୋଲରଙ୍କ ସାମ୍ନା କରିପାରି ନ ଥାନ୍ତି।’

Share