ବିଶ୍ୱକପ ୨୦୨୩: ଶ୍ରୀଲଙ୍କା ଦଳକୁ ଫେରିଲେ ଏଞ୍ଜୋଲା ମାଥ୍ଯୁସ୍, ଆହତ ହୋଇ ବାଦ ପଡ଼ିଲେ ଜୁନିଅର ମାଲିଙ୍ଗା

ନୂଆଦିଲ୍ଲୀ,୨୪।୧୦: ଶ୍ରୀଲଙ୍କାର ଜୁନିଅର ମାଲିଙ୍ଗା ମଥିଶା ପାଥିରାନା କାନ୍ଧରେ ଆଘାତ ପାଇ ବିଶ୍ୱକପ ୨୦୨୩ ରୁ ବାଦ ପଡ଼ିବା ପରେ ତାଙ୍କ ସ୍ଥାନରେ ବରିଷ୍ଠ ଖେଳାଳି ଏଞ୍ଜୋଲା ମାଥ୍ଯୁସଙ୍କୁ ଦଳରେ ସ୍ଥାନ ମିଳିଛି। ଅକ୍ଟୋବର ୧୦ ତାରିଖରେ ପାକିସ୍ତାନ ବିପକ୍ଷ ମ୍ୟାଚରେ ପାଥିରାନା କାନ୍ଧରେ ଆଘାତ ପାଇଥିଲେ। ନିକଟରେ ସେ ଘରକୁ ଫେରିଥିବା ବେଳେ ତାଙ୍କର ଆଘାତ ଏବଂ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ଆସୋସିଏସନ ଅଲରାଉଣ୍ଡର ଏଞ୍ଜୋଲା ମାଥ୍ଯୁସ୍ ଏବଂ ଦ୍ରୁତ ବୋଲର ଦୁଷ୍ମନ୍ଥ ଚାମିରାଙ୍କୁ ରିଜର୍ଭ ଖେଳାଳିଭାବେ ଦଳରେ ସାମିଲ କରାଯାଇଥିଲା। ପାଥିରାନାଙ୍କ ବଦଳରେ ଚାମିରାଙ୍କୁ ଦଳରେ ସ୍ଥାନ ମିଳିବାର ସମ୍ଭାବନା ଅଧିକ ଥିଲେ ମଧ୍ୟ ବ୍ୟାଟିଂ ବିଭାଗକୁ ମଜବୁତ କରିବା ପାଇଁ ମାଥ୍ଯୁସ୍ ଙ୍କୁ ଦଳରେ ସାମିଲ କରାଯାଇଛି।

୩୬ ବର୍ଷୀୟ ମାଥ୍ୟୁସ୍ ଶ୍ରୀଲଙ୍କା ପାଇଁ ୨୨୧ ଦିନିକିଆ ମ୍ୟାଚ ଖେଳି ୪୧.୦୧ ହାରରେ ୫୮୬୫ ସଂଗ୍ରହ କରିଥିବା ବେଳେ ମାଧ୍ୟମ ଗତିରେ ବୋଲିଂ କରି ୧୨୦ ଟି ଉଇକେଟ ପାଇଛନ୍ତି। ବର୍ତ୍ତମାନ ଅଭିଜ୍ଞ ମାଥ୍ୟୁସ୍ ଙ୍କ ଉପସ୍ଥିତିରେ ଦଳକୁ ଫାଇଦା ହେବ ବୋଲି ଚୟନ କମିଟିର ଆଶା ରହିଛି।

Share