Categories: ଜାତୀୟ

ସଂସଦରେ ବାଂଲାଦେଶ ଝଡ଼: କେଉଁ ଫଳ ଭୋଗୁଛନ୍ତି ହାସିନା ଏମିତି କହିଲେ…

ନୂଆଦିଲ୍ଲୀ, ୬।୮: ଚାରିଆଡେ ପୋଡାଜଳା, ହିଂସା ଅରାଜକତାରେ ଜଳୁଛି ବାଂଲାଦେଶ। ଦେଶରେ ଅସମ୍ଭାଳ ସ୍ଥିତି। ପ୍ରଧାନମନ୍ତ୍ରୀ ପଦରୁ ଶେଖ୍‌ ହାସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ଭଙ୍ଗ ଘୋଷଣା କରିଛନ୍ତି ।
ଏହା ମଧ୍ୟରେ ଭାରତୀୟ ସଂସଦରେ ମଙ୍ଗଳବାର ବାଂଲାଦେଶକୁ ନେଇ ଝଡ଼ ଦେଖିବାକୁ ମିଳିଛି । ରାଜ୍ୟସଭାରେ ବୈଦେଶିକମନ୍ତ୍ରୀ ଏସ୍‌ ଜୟଶଂକର କହିଛନ୍ତି ବାଂଲାଦେଶରେ ୧୯ ହଜାର ଭାରତୀୟ ରହିଛନ୍ତି । ଏହାସହ ସେ ଢାକାର ସେନା ସହ ସମ୍ପର୍କରେ ଥିବା କଥା ମଧ୍ୟ ଜଣାଇଛନ୍ତି।  ସେପଟେ ବାଂଲାଦେଶରେ ଫଶିଥିବା ଭାରତୀୟଙ୍କ ବାବଦରେ ଏମ୍‌ପି ମନୋଜ ଝା କହିଛନ୍ତି, ମୋର ପୁରା ବିଶ୍ୱାସ ରହିଛି  ଆମ ପ୍ରଧାନମନ୍ତ୍ରୀ ଓ ବିଦେଶ ମନ୍ତ୍ରୀ ଗତ କିଛି ସପ୍ତାହ ଧରି ବାଂଲାଦେଶରେ ଚାଲିଥିବା ହିଂସା ଉପରେ ନଜର ରଖିଛନ୍ତି । ତେଣୁ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାକୁ ସମର୍ଥନ କରିବୁ ।
ଅନ୍ୟପକ୍ଷେ ଏମ୍‌ପି  ସଞ୍ଜୟ ରାୱତ କହିଛନ୍ତି, ଯେଉଁ ଦେଶକୁ ଆମେମାନେ ନିର୍ମାଣ କରିଥିଲେ ଏବେ ସେ ଦେଶର ସ୍ଥିତି ଦେଖିଲେ ଦୁଃଖ ଲାଗୁଛି । ସେ  କହିଛନ୍ତି, ବାଂଲାଦେଶରେ ଏଭଳି ସ୍ଥିତି ପାଇଁ ଲୋକତନ୍ତ୍ର ନାମରେ ଏକଛତ୍ରବାଦ ଶାସନ ଚଳାଉଥିବା ଶାସକ ଦାୟୀ । ବିରୋଧୀଙ୍କୁ ଜେଲରେ ରଖିବା, ସେମାନଙ୍କୁ ମିଥ୍ୟା ମାମଲାରେ ଫଶାଇବା, ଦରବୃଦ୍ଧି ଓ ବେରୋଜଗାରୀଙ୍କ ନଜର ନଦେବାର ଫଳ ଶେଖ୍‌ ହାସିନା ଭୋଗିଛନ୍ତି ବୋଲି ସେ କହିଛନ୍ତି ।
Share