‘ମୀନାକ୍ଷୀ ମନ୍ଦିର’ରେ ବସିବେ ମା’

ଅନୁଗୋଳ ଅଫିସ, ୨୩ା୯:ନୂତନ ଅନୁଷ୍ଠାନ ହୋଇଥିଲେ ବି ଏଥର ପୂଜା ହେବ ନିଆରା। ଏଥିପାଇଁ ପ୍ରସ୍ତୁତି ଚଳାଇଛି ଅନୁଗୋଳ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା ପୂଜା ଟ୍ରଷ୍ଟ। ଚଳିତବର୍ଷ ୫ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ଏହି ଟ୍ରଷ୍ଟ ପକ୍ଷରୁ ଦକ୍ଷିଣ ଭାରତର ମୀନାକ୍ଷୀ ମନ୍ଦିର ସଦୃଶ୍ୟ ତୋରଣ ନିର୍ମାଣ କରାଯାଉଛି। ଏହା ସାଙ୍ଗକୁ ଆଖି ଝଲସାଇ ଦେବାଭଳି ଏଲ୍‌ଇଡି ଲାଇଟ୍‌ ଲଗାଯାଉଛି। ପୂଜାବେଳେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା ମଧ୍ୟ ହୋଇଛି।
ଦୁର୍ଗା ପୂଜା ଆସିଲେ ରାଣୀଗୁଡ଼ାବାସୀ ସହର ମୁହଁା ହୋଇଥାନ୍ତି। ହେଲେ ୨୦୧୮ରୁ ରାଣୀଗୁଡ଼ା ଷ୍ଟେଶନ ବଜାର ମା’ ଦୁର୍ଗା ପୂଜା ଟ୍ରଷ୍ଟ ପକ୍ଷରୁ ଧୁମ୍‌ଧାମରେ ପୂଜା ପାଳନ କରାଯାଉଥିବାରୁ ଅଞ୍ଚଳବାସୀ ଏହାକୁ ଭରପୂର ଉପଭୋଗ କରୁଛନ୍ତି। ଗତ ୨ ବର୍ଷର ପୂଜା କରୋନା ପାଇଁ ମାଡ଼ ଖାଇଯାଇଥିବାରୁ ଏଥର ଏହାକୁ ଅତି ଆଡ଼ମ୍ବରରେ କରିବାକୁ ଯୋଜନା କରାଯାଇଛି। ମୀନାକ୍ଷୀ ମନ୍ଦିର ସଦୃଶ ତୋରଣ ସାଙ୍ଗକୁ ଝିଲିମିଲ ଏଲଇଡି ଆଲୋକ ଖଞ୍ଜାଯାଉଛି।
ମଣ୍ଡପର ଆକର୍ଷଣ ଯେପରି ଦର୍ଶକଙ୍କ ମନଛୁଇଁ ପାରିବ ସେଥିପାଇଁ ସଜସଜ୍ଜା ସାଙ୍ଗକୁ ଆଲୋକୀକରଣ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି। ଇତିମଧ୍ୟରେ ମୂର୍ତ୍ତି ନିର୍ମାଣ ୮୦ ଭାଗ ଶେଷ ହୋଇସାରିଛି। ପୁରୀରୁ ପଣ୍ଡିତଙ୍କୁ ଡକାଯାଇ ଏଠାରେ ପୂଜା କରାଯିବ। ଷଷ୍ଠୀ ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହ ସପ୍ତମୀରେ ସ୍ଥାନୀୟ ଶିଶୁଙ୍କ ଦ୍ୱରା ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯିବ। ଅଷ୍ଟମୀରେ ଶିଶୁ କଳାକାରଙ୍କୁ ନେଇ ପ୍ରତିଯୋଗିତା ଆୟୋଜିତ ହେବ। ମହିଳାମାନଙ୍କ ମଧ୍ୟରେ ମଧ୍ୟ ଭିନ୍ନ ଭିନ୍ନ ପ୍ରତିଯୋଗିତା କରାଯିବ। ନବମୀରେ ଦାଣ୍ଡିଆ ନୃତ୍ୟ ପରିବେଷଣ ଓ ଦଶମୀରେ କଟକର ଏକ ଅନୁଷ୍ଠାନ ଦ୍ୱାରା ମେଲୋଡି ପରିବେଷଣ କରାଯିବ। ତେବେ ଭସାଣିକୁ ଅଧିକ ଆକର୍ଷଣୀୟ କରିବାକୁ ଆତସବାଜୀ ସହ ପୁରୀର ନାଗା ନାଚକୁ ପ୍ରଥମ କରି ଏଥରେ ସାମିଲ କରାଯିବାର ଯୋଜନା ରଖାଯାଇଛି। ସେହିପରି ଭାଙ୍ଗଡ଼ା, ସିଂହ ବାଜା, ଘଣ୍ଟୁଆ, ଲଉଡ଼ି ଆଦିକୁ ଦର୍ଶକମାନେ ଭସାଣିରେ ଦେଖିବାର ସୁଯୋଗ ପାଇପାରିବେ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।