ନୂଆଦିଲ୍ଲୀ,୩୧।୮: ଅନୀଲ ଅମ୍ବାନୀଙ୍କ ଗ୍ରୁପ କମ୍ପାନୀକୁ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)କୁ ପଠାଇବା ମାମଲାରେ ତାଙ୍କୁ ବର୍ତ୍ତମାନ ଆଶ୍ୱସ୍ତି ମିଳିଛି। ଅନୀଲଙ୍କ ଗ୍ରୁପର ରିଲାଏନ୍ସ ହୋମ୍ ଫାଇନାନ୍ସ ଲିମିଟେଡ(ଆର୍ଏଚ୍ଏଫ୍ଏଲ୍) ଏବଂ ରିଲାଏନ୍ସ କମର୍ସିଆଲ ଫାଇନାନ୍ସ ଲିମିଟେଡ(ଆର୍ସିଏଫ୍ଏଲ୍) ଭଳି ୨ କମ୍ପାନୀକୁ ଏନ୍ସିଏଲ୍ଟିକୁ ପଠାଇବା ଲାଗି ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ନିବେଦନ କରାଯାଇଥିଲା। ଏହି ପ୍ରସ୍ତାବକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରବିବାର ଅଗ୍ରାହ୍ୟ କରି ଦିଆଯାଇଛି। ଦେବାଳିଆ ଆଇନ ଧାରା ୨୨୭ ଅଧୀନରେ ଏହି କମ୍ପାନୀଗୁଡିକୁ ଏନ୍ସିଏଲ୍ଟି ପଠାଇବା ଲାଗି ବିଓବି ପ୍ରକ୍ରିୟା ଜାରି କରିଥିଲା। ଏଥିରେ ବ୍ୟାଙ୍କକୁ ଧକ୍କା ଲାଗିଥିବା ଜଣାପଡିଛି। କାରଣ ବ୍ୟାଙ୍କ ଏହି କମ୍ପାନୀଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଋଣ ପୁନର୍ଗଠନ କରିବାକୁ ଯୋଜନା ରଖିଥିଲା। ସୂଚନାଯୋଗ୍ୟ, ଏହା ପୂର୍ବରୁ ବିଓବି ସହ ଅନ୍ୟ ବ୍ୟାଙ୍କଗୁଡିକର କାର୍ଯ୍ୟଧାରା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିଥିଲେ।