Categories: ଖେଳ

ଏକଦା ମୋବାଇଲ ନେଟଓ୍ବାର୍କ ପାଇଁ ଗଛ ଉପରେ ଚଢ଼ିଥିଲେ ଏହି ଆଇସିସି ଅମ୍ପାୟାର; ଏବେ ପାଲଟିଲେ ଗାଁର ହିରୋ

ନୂଆଦିଲ୍ଲୀ,୧୫।୭: ଆଇସିସି ଅନ୍ତରାଷ୍ଟ୍ରୀୟ ପ୍ୟାନେଲରେ ଭାରତର ଅମ୍ପାୟାର ଅନିଲ ଚୌଧୁରୀ ଲକ୍‌ଡାଉନ୍‌ ସମୟରେ ଉତ୍ତରପ୍ରଦେଶର ମୁଜଫ୍ଫରନଗର ଜିଲାରେ ଥିବା ନିଜ ଘରେ ରହିଥିଲେ। ଏହି ସମୟରେ ତାଙ୍କୁ ମୋବାଇଲ୍‌ ନେଟଓ୍ବାର୍କ ପାଇଁ ବହୁତ କଷ୍ଟ କରିବାକୁ ପଡ଼ିଥିଲା। କାରଣ ସେ ଗଛ ଉପରେ ଚଢ଼ି କଥା ହୋଇଥିଲେ।

ଅନିଲ ଲକ୍‌ଡାଉନ୍‌ ପୂର୍ବରୁ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଏକଦିବସୀୟ ସିରିଜ୍‌ରେ ଅମ୍ପାୟାରିଂ କରିଥାନ୍ତେ। ହେଲେ କରୋନା ଯୋଗୁ ଏହା ରଦ୍ଦ ହେବାରୁ ସେ ମୁଜଫରନଗର ଡଙ୍ଗରୋଲ ଗ୍ରାମରେ ଥିବା ଘରକୁ ଚାଲିଯାଇଥିଲେ। ସେଠାକୁ ସେ ମାତ୍ର ଏକ ସପ୍ତାହ ପାଇଁ ଯାଇଥିଲେ, ହେଲେ ସେଠାରେ ଫସି ଯାଇଥିଲେ। ଗାଁରେ ଅନେକ ଦିନରୁ ମୋବାଇଲ ନେଟଓ୍ବାର୍କ ଠିକ୍‌ରେ ଆସୁ ନ ଥିଲା। ଫଳରେ ତାଙ୍କୁ ଗାଁରୁ ଦୂରକୁ ଯିବାକୁ ପଡ଼ୁଥିଲା। ଧାନ କ୍ଷେତ ମଧ୍ୟରେ ଥିବା ଗଛ ଉପରେ ଚଢ଼ିବା ପରେ ନେଟଓ୍ପାର୍କ ଆସୁଥିଲା।

ଏନେଇ ସେ ଟେଲିକମ୍‌ କମ୍ପାନୀ ସହ କଥା ହୋଇଥିଲେ। ଏବେ ତାଙ୍କ ଗାଁକୁ ମୋବାଇଲ ସେବା ଠିକ୍‌ ଭାବେ ଆସୁଛି। ଏହାକୁ ନେଇ ତାଙ୍କୁ ଗାଁର ହିରୋ ବୋଲି କୁହାଯାଉଛି। ଏହାଦ୍ୱାରା ପିଲାମାନେ ଅନ୍‌ଲାଇନ୍‌ କ୍ଲାସ କରିପାରୁଛନ୍ତି। ଏହାଛଡ଼ା ଅନେକ ସମସ୍ୟା ସମାଧାନ ହୋଇପାରିଛି ବୋଲି ସେ କୁହନ୍ତି।

Share