ନୂଆଦିଲ୍ଲୀ, ୧୯ା୯: ଜାତୀୟ ବୈଷୟିକ ଅନୁସନ୍ଧାନ ସଙ୍ଗଠନ (ଏନ୍ଟିଆର୍ଓ)ର ନୂତନ ଅଧ୍ୟକ୍ଷ ଭାବେ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର’) ର ପୂର୍ବତନ ମୁଖ୍ୟ ଅନିଲ ଧସମାନା ନିଯୁକ୍ତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି କମିଟି ଧସମାନାଙ୍କ ନାମକୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ୧୯୮୧ ବ୍ୟାଚର ଆଇପିଏସ୍ ଅଧିକାରୀ ଧସ୍ମାନାଙ୍କୁ ସୂଚନା ଦିଆଯାଇଛି। ସେ ଦାୟିତ୍ୱରୁ ମୁକ୍ତ ହୋଇଥିବା ପୂର୍ବତନ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ ସତୀଶ ଝାଙ୍କ ସ୍ଥାନ ନେବେ। ପୁଲୱାମା କାର୍ ଆକ୍ରମଣରେ ୪୦ ଯବାନଙ୍କ ଶହୀଦ ପରେ ଫେବୃୟାରୀ ୨୦୧୯ରେ ବାଲାକୋଟ ଏୟାର ଷ୍ଟ୍ରାଇକ ଯୋଜନାର ସେ ନେତୃତ୍ୱ ନେଇଥିଲେ। ଜୁନ ୨୦୧୯ରେ ଲୋକସଭା ନିର୍ବାଚନର କାର୍ଯ୍ୟକାଳ ଶେଷ ହେବାର କିଛି ମାସ ପୂର୍ବରୁ ଧସମାନା ତାଙ୍କ ପଦ ଛାଡିଦେଇଥିଲେ। ଏଲ୍ଏସିଠାରେ ଚାଇନା ସେନାର ଗତିବିଧି ଉପରେ ନଜର ରଖିବାକୁ ଏନ୍ଟିଆର୍ଓ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବାବେଳେ ଏହି ଦାୟିତ୍ୱ ଏବେ ଧସମାନାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି।