ଡାକ୍ତରଖାନାରେ ପନ୍ତଙ୍କୁ ଭେଟିଲେ ଅନିଲ କପୁର-ଅନୁପମ ଖେର

ଡେରାଡୁନ,୩୧।୧୨: ଭାରତୀୟ କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣାର ଶିକାର ହୋଇ ଚିକିତ୍ସିତ ହେଉଛନ୍ତି। ଏହି କ୍ରମରେ ଅଭିନେତା ଅନିଲ କପୁର ଏବଂ ଅନୁପମ ଖେର ପ୍ରମୁଖ ଶନିବାର ଡାକ୍ତରଖାନା ଯାଇ କ୍ରିକେଟରଙ୍କୁ ଭେଟିଛନ୍ତି। ସେଠାରେ ସେ କ୍ରିକେଟରଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପରିବାରଲୋକଙ୍କୁ ଭେଟିଛନ୍ତି।

ଡାକ୍ତରଖାନାରୁ ବାହାରି ଅନୁପମ ଖବରଦାତାମାନଙ୍କୁ କହିଛନ୍ତି, ପନ୍ତଙ୍କୁ ଡେରାଡୁନର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜାଣିବାକୁ ପାଇଲୁ, ଏଥିଲାଗି ପ୍ରଶଂସକ ଭାବେ ଆମେ ତାଙ୍କୁ ଭେଟିବାକୁ ଆସିଥିଲୁ। ଆମେ ତାଙ୍କ ମା’ଙ୍କୁ ଭେଟିଲୁ। ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି। ତାଙ୍କ ମନୋବଳ ଦୃଢ଼ ରହିଛି। ସାରା ଭାରତ ତାଙ୍କ ସହ ରହିଛି। ସମସ୍ତେ ପନ୍ତଙ୍କ ଲାଗି ପ୍ରାର୍ଥନା କରୁଛନ୍ତି। ସେ ଶୀଘ୍ର ସୁସ୍ଥ ହୋଇଯିବେ। ପନ୍ତଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଭେଟି କିଛି ସମୟ ସେମାନଙ୍କୁ ହସାଇବାକୁ ଚେଷ୍ଟା କଲୁ। ଦେଶର ସମସ୍ତ ନାଗରିକଙ୍କୁ ଏତିକି କହିବି ଗାଡ଼ି ଧ୍ୟାନର ସହ ଚଳାନ୍ତୁ। କାରଣ ବାହାରେ ବହୁତ କୁହୁଡ଼ି ପଡ଼ୁଛି। ଏହାଛଡ଼ା ସେ ସମସ୍ତଙ୍କୁ ନବ ବର୍ଷର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ସେହିଭଳି ଅନିଲ କପୁର କହିଛନ୍ତି, ଆମେ ପନ୍ତଙ୍କ ମା’ଙ୍କୁ ଭେଟିଲୁ। ସେ ଶୀଘ୍ର ସୁସ୍ଥ ହୋଇଯିବେ। ସମସ୍ତଙ୍କୁ ନିବେଦନ କରୁଛୁ ଯେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ଫଳରେ ସେ ଶୀଘ୍ର ଖେଳୁଥିବାର ଆମେ ଦେଖିବା ବୋଲି ସେ କହିଛନ୍ତି।