ପୁଅ ସହ ସ୍କ୍ରିନ ଶେୟାର କରିବେ ଅନିଲ

ମୁମ୍ବାଇ: ବଲିଉଡର ଏଭର ଗ୍ରୀନ୍ ହିରୋ ଅନିଲ କପୁର ଏବେବି ସେମିତି ହ୍ୟାଣ୍ଡସମ ଅଛନ୍ତି ଯେମିତି ସେ ୮୦ ଦଶକରେ ଥିଲେ । ଅର୍ଥାତ୍ ୬୫ ବର୍ଷ ବୟସରେ ବି ଅନିିଲ ହିରୋ ଭଳି ଲାଗୁଛନ୍ତି । ତାଙ୍କୁ ଦେଖିଲେ ତାଙ୍କ ବୟସର କଳନା କରିବା ମୁସ୍କିଲ । ତେବେ ବଲିଉଡରେ ଅନିଲ ନିଜର ଭିନ୍ନ ଛାପ ଛାଡିଥିବା ବେଳେ ଝିଅ ସୋନମ କପୁର ବି ବଲିଉଡର ଜଣେ ଆଗଧାଡିର ନାୟିକା ଭାବେ ସୃଷ୍ଟି କରିଛନ୍ତି ତାଙ୍କର ଏକ ଭିନ୍ନ ପରିଚୟ । ହେଲେ ଅନିଲଙ୍କ ପୁଅ ହର୍ଷବର୍ଦ୍ଧନ ଏବେ ପର୍ଯ୍ୟନ୍ତ ବଲିଉଡ ଦୁନିଆରେ ସେମିତି କିଛି କମାଲ କରିପାରି ନାହାନ୍ତି । ହର୍ଷବର୍ଦ୍ଧନ କପୁର ‘ମିର୍ଜୟା’ରୁ ତାଙ୍କ ଆକ୍ଟିଙ୍ଗ କ୍ୟାରିୟର ଆରମ୍ଭ କରିଥିବା ବେଳେ ଏହା କିନ୍ତୁ ବକ୍ସ ଅଫିସରେ ଫ୍ଲପ ହୋଇଥିଲା । ଏହାପରେ ସେ ‘ଭାବେଶ ଯୋଶୀ ସୁପରହିରୋ’ରେ ନଜର ଆସିଥିଲେ । ତାହା ବି ଫ୍ଲପ ହେଲା ।
ହେଲେ ଏଥର ହର୍ଷବର୍ଦ୍ଧନ ପିତା ଅନିଲ କପୁରଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଏଥର ପିତା ପୁତ୍ର ଯୋଡି ନେଟଫ୍ଲିକ୍ସରେ ଜଲୱା ଦେଖାଇବେ । ଯାହାର ଏକ ଝଲକ ଅନିଲ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଅନିଲ କପୁର, ହର୍ଷବର୍ଦ୍ଧନ କପୁର, ଫାତିମା ସନା ଶେଖ ଓ ସତିଶ କୌଶିକ ନେଟଫ୍ଲିକ୍ସରେ ଆସିବାକୁ ଥିବା ରିଭେଞ୍ଜ ଥ୍ରିଲର ‘ଥାର’ରେ ଦେଖାଦେବେ ।
ଅନିଲ କପୁର ଏହାର ପୋଷ୍ଟର ଶେୟାର କରି ଲେଖିଛନ୍ତି, ମରୁଭୂମିର ବାଲିତଳେ ଦବି ହୋଇରହିଥିବା ରାଜ ବି ଆଇନର ଲମ୍ବା ହାତରୁ ବଞ୍ଚି ପାରିବ ନାହିଁ । ଥାର ଦେଖନ୍ତୁ ନିଶ୍ଚୟ । ଖୁବଶୀଘ୍ର ଆସୁଛି ନେଟଫ୍ଲିକ୍ସରେ । ଫିଲ୍ମରେ ୮୦ ଦଶକର କାହାଣୀକୁ ଚିତ୍ରିତ କରାଯାଇଛି । ଏଥିରେ ସିଦ୍ଧାର୍ଥ ଅର୍ଥାତ୍ ହର୍ଷବର୍ଦ୍ଧନ କପୁର ପୁଷ୍କରରେ ଚାକିରି ପାଇଁ ସିପ୍ଟ ହେବା ପରେ, ନିଜ ଅତୀତର ପ୍ରତିଶୋଧ ନେବାକୁ ବାହାରି ପଡିଛନ୍ତି । ଏବେ ସମୟ ଦେଖିବାକୁ ଯେ ହର୍ଷବର୍ଦ୍ଧନ ନେଟଫ୍ଲିକ୍ସରେ ତାଙ୍କର କିଛି ପରିଚୟ ତିଆରି କରୁଛନ୍ତି ନା ନାହିଁ ।

Share