ଖଁା ଖଁା ପ୍ରାଣୀ ଚିକିତ୍ସାଳୟ

ଖଇରା,୬।୭(ଉତ୍କଳବନ୍ଧୁ ପଣ୍ଡା)ବାଲେଶ୍ୱର ଜିଲା ଖଇରା ବ୍ଲକର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ୬ମାସ ହେଲା ଡାକ୍ତରଶୂନ୍ୟ। ଏଠାରେ ୪ଟି ପଦବୀ ଥିବା ବେଳେ ଜଣକ ପରେ ଜଣେ ଏହିଭଳି ଭାବେ ସବୁ ଡାକ୍ତର ୨୨-୨୩ବର୍ଷ ମଧ୍ୟରେ ଅନ୍ୟତ୍ର ଚାଲିଯାଇଛନ୍ତି। ଏଣୁ ଦୈନିକ ଶହ ଶହ ସଂଖ୍ୟାର ଗୋପାଳକ ଆବଶ୍ୟକ ପରାମର୍ଶ ପାଇଁ କେନ୍ଦ୍ରକୁ ଆସି ନିରାଶରେ ଫେରୁଛନ୍ତି ା ସେପଟେ ନବନିର୍ମିତ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ହେବାର ୫ବର୍ଷ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ଏପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ହସ୍ତାନ୍ତର କରୁ ନ ଥିବାରୁ ପୁରୁଣା କାର୍ଯ୍ୟାଳୟ ଅସୁରକ୍ଷିତ ଗୃହରେ ଚାଲୁଛି ା
ରାଜ୍ୟ ସରକାର ଖାଲି ପଡିଥିବା ସ୍ଥାନରେ ୨୦୯ଜଣଙ୍କୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେଇଥିବା ବେଳେ ଖଇରା ନଁା ନ ଥିବାରୁ ୩୭ ପଞ୍ଚାୟତର ଗୋପାଳକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ପ୍ରଥମେ ସହକାରୀ ପ୍ରାଣୀ ଚିକିତ୍ସକ ଡା. ସୁବାଶିଷ ମହାପାତ୍ର ୨୦୨୨ ଜାନୁୟାରୀରେ ପଦୋନ୍ନତି ପାଇ ଚମ୍ପୁଆ ଚାଲିଯିବା ପରେ ପଦବୀ ଖାଲିପଡ଼ିଥିଲା। ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ସବିତା ବେହେରା ଉଚ୍ଚଶିକ୍ଷା ପାଇଁ ଚାଲିଯାଇଥିବା ବେଳେ ୨୦୨୨ ଏପ୍ରିଲରୁ ଏହି ପଦବୀ ଖାଲି ପଡିଛି। ଶେଷ ଡାକ୍ତର ଭାବେ ରଘୁନାଥ ସିଂ ୨୦୨୩ ଜାନୁୟାରୀ ୮ରେ ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ କାର୍ଯ୍ୟାଳୟ ଏକପ୍ରକାର ବନ୍ଦ ଅବସ୍ଥାକୁ ଆସିଯାଇଛି। ରେମୁଣା ଓ ଖନ୍ତାପଡ଼ାରୁ ୨ଜଣ ଡାକ୍ତରଙ୍କୁ ଏଠାରେ ୨ଦିନ ଲେଖାଏ ଡେପୁଟେଶନ ଦିଆଯାଇଥିବା ବେଳେ କେହି କେବେ ତାଙ୍କୁ ଦେଖି ନ ଥିବା ଅଭିଯୋଗ ହୋଇଛି। ଜୁନ ୧୮ରୁ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କରୁଥିବା ଗାଡିଟି ବନ୍ଦ ହୋଇପଡିଛି। ୫୦ବର୍ଷ ତଳର ପୁରୁଣା ପ୍ରାଣୀ ଚିକିତ୍ସାଳୟ କାର୍ଯ୍ୟାଳୟ ଗୃହ ଅସୁରକ୍ଷିତ ହୋଇପଡିବା ପରେ ୨୦ଲକ୍ଷ ଟଙ୍କା ବ୍ୟୟରେ ଏକ ନୂତନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ଠିକାଦାରଙ୍କ ମଧ୍ୟରେ ବିବାଦ ଯୋଗୁ ଏପର୍ଯ୍ୟନ୍ତ କାର୍ଯ୍ୟାଳୟ ପୁରୁଣା ଗୃହରୁ ନୂଆଗୃହକୁ ସ୍ଥାନାନ୍ତର ହୋଇପାରୁନାହିଁ। ୧୨ଟି ପ୍ରାଣୀ ସହାୟକ କେନ୍ଦ୍ର ମଧ୍ୟରୁ ୩ଟିରେ କୌଣସି ପ୍ରାଣୀଧନ ନିରୀକ୍ଷକ ନ ଥିବା ଅଭିଯୋଗ ହୋଇଛି। କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କ୍ୱାର୍ଟର୍ସଗୁଡିକରୁ ପାଣି ଗଳୁଥିବାରୁ ମରାମତି କରାଯାଉନାହିଁ। ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଡା. ବନମାଳୀ ସାହୁ କହିଛନ୍ତି, ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଛନ୍ତି ା ଅଳ୍ପଦିନ ମଧ୍ୟରେ ଡାକ୍ତର ଆସିଯିବେ।

Share