ଏବେ ପର୍ଯ୍ୟଟନର ଋତୁ। ଆଉ ଓଡ଼ିଶା ହେଉଛି ପର୍ଯ୍ୟଟନର ଗନ୍ତାଘର। ଏଠାକାର ପାହାଡ଼, ଝରଣା, ପଶୁପକ୍ଷୀ ସବୁକିଛି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ତେବେ ଯେଉଁମାନେ ଖାସ୍ ପଶୁପକ୍ଷୀଙ୍କୁ ଦେଖିବାକୁ ଆଗ୍ରହୀ ସେମାନଙ୍କ ପାଇଁ ଓଡ଼ିଶା ଏକ ସୁନ୍ଦର ସ୍ଥାନ। ଏଠାକାର ଏମିତି ଅନେକ ସ୍ଥାନ ରହିଛି, ଯେଉଁଠି ପର୍ଯ୍ୟଟକମାନେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ପଶୁପକ୍ଷୀଙ୍କୁ ଦେଖିପାରିବେ…
ମୁଣ୍ଡୁଳୀର ମୟୂର ଭ୍ୟାଲି
କାହ୍ନାଙ୍କ ଡାକରେ ଓହ୍ଲାଇଆସନ୍ତି ବଣପାହାଡ଼ରୁ। ଆ… ଆ… ଆ… ଡାକିଟିକୁ ସତେଯେପରି କାନ ପାରିଥାନ୍ତି ସେମାନେ। ରାତି ପାହିଲେ ଅପେକ୍ଷା କରିଥାନ୍ତି କେତେବେଳେ ଡାକ ଶୁଭିବ କାହ୍ନାଙ୍କର। ଡାକ ଶୁଭିଲା ମାତ୍ରେ ମନ୍ତ୍ରମୁଗ୍ଧ କଲାଭଳି ବଣପାହାଡ଼ରୁ ଓହ୍ଲାଇ ଆସି କାହ୍ନାଙ୍କ ପାଖରେ ରୁଣ୍ଡ ହୋଇଯାନ୍ତି। ଏ ହେଉଛି କଟକ ଜିଲା ମୁଣ୍ଡଳୀର ମୟୂର ଭ୍ୟାଲିର କଥା। ଯେଉଁଠି କାହ୍ନା ବେହେରାଙ୍କ ଡାକ ଶୁଣି ରୁଣ୍ଠ ହୋଇଯାନ୍ତି ମୟୁରମାନେ। ପ୍ରତିଦିନ ସକାଳେ, ଉପରବେଳା ମୟୂରମାନଙ୍କୁ ଡାକି ଖାଇବାକୁ ଦେବା ଏକ ରୁଟିନ୍ବନ୍ଧା କାମ ହୋଇଛି କାହ୍ନାଙ୍କର। ବନାଂଚଳର ସବୁଜିମା ଭିତରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ବହୁ ଦର୍ଶକଙ୍କ ଭିଡ଼ ଜମୁଛି। ନରାଜ ବାସିନ୍ଦା କାହ୍ନା ଓଡ଼ିଶା ପୋଲିସରେ ଜଣେ ହୋମଗାର୍ଡ ଭାବେ ମୁଣ୍ଡଳୀ ଫାୟାରିଂ ରେ କାମ କରନ୍ତି। କାହ୍ନାଙ୍କ ଜେଜେ ପାଣୁ ବେହେରା ପ୍ରଥମେ ମୟୂରଙ୍କୁ ଡାକି ଖାଇବାକୁ ଦେଉଥିଲେ। କାହ୍ନାଙ୍କ କହିବାନୁସାରେ, ତାଙ୍କ ଜେଜେ ଜଣେ ପ୍ରକୃତିପ୍ରେମୀ ମଣିଷ। ସେ ପୋଲିସ ହୋମଗାର୍ଡ ଭାବେ ମୁଣ୍ଡଳିରେ କାର୍ଯ୍ୟରତ ଥିଲେ। ୧୯୯୯ ମହାବାତ୍ୟାରେ ଏଠାରେ ବହୁ ଗଛ ନଷ୍ଟ ହୋଇଗଲା। ସେହି ସମୟରେ ୩ଟି ମୟୂର ପ୍ରଥମେ ଠାବ କରିଥିଲେ ଜେଜେ। ତନ୍ମଧ୍ୟରୁ ଗୋଟିଏ ମୟୂର ଗୋଡ଼ରେ ଆଘାତ ଲାଗି ରକ୍ତ ଝରୁଥିବା ଦେଖି ଜେଜେ ମୟୂରଟିକୁ ଘରକୁ ନେଇଆସିଥିଲେ। ତାକୁ ସମ୍ପୂର୍ଣ୍ଣ ସୁସ୍ଥ କରିଦେବା ପରେ ପୁଣି ଜଙ୍ଗଲରେ ଛାଡ଼ି ଦେଇଥିଲେ। ହେଲେ ତା’ପରଠାରେ ସେ ଦେଖିଲେ ୩ଟିଯାକ ମୟୂର ତାଙ୍କ ନିକଟକୁ ଆସୁଛନ୍ତି। ଜେଜେ ସେମାନଙ୍କୁ ଭାତ ଖାଇବାକୁ ଦେଇଥିଲେ। କ୍ରମେ କ୍ରମେ ଜେଜେ ଓ ମୟୂରଙ୍କ ଭିତରେ ଘନିଷ୍ଠତା ବଢ଼ିଚାଲିଥିଲା। କ୍ରମେ କ୍ରମେ ମୟୂର ସଂଖ୍ୟା ବଢ଼ି ଏବେ ଭ୍ୟାଲିରେ ୧୬୩ରେ ପହଞ୍ଚତ୍ଲାଣି। ଏତେସଂଖ୍ୟକ ମୟୂରଙ୍କ ପାଇଁ ପାଖାପାଖି ୪୦ କେଜି ଶସ୍ୟ ଦୈନିକ ଆବଶ୍ୟକ ହେଉଛି। ବିଶେଷ କରି ଧାନ, ଗହମ, ଚାଉଳ ସେମାନଙ୍କୁ ଖାଇବାକୁ ଦିଆଯାଉଛି। ବହୁ ସଂଖ୍ୟକ ପର୍ଯ୍ୟଟକ ଗୁଗ୍ଲ ଓ ଲୋକମୁଖରୁ ସୂଚନା ପାଇ ଏଠାକୁ ଆସୁଛନ୍ତି। ସେମାନେ ବି ମୟୂରଙ୍କ ଖାଇବା ପାଇଁ ଖୁସିରେ ଦାନ କରୁଛନ୍ତି। ଭଲ ପାଇବା, ବିଶ୍ୱାସ ଆଗରେ ସମସ୍ତେ ହାର ମାନନ୍ତି ବୋଲି ଜେଜେ କହିଥିଲେ। ତାଙ୍କର ୨୦୧୭ରେ ମୃତ୍ୟୁ ପରେ ଏବେ ସମ୍ପୂର୍ଣ୍ଣ ଦାୟିତ୍ୱ କାହ୍ନା ଉପରେ। ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଏହା ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ଆକର୍ଷଣର କେନ୍ଦ୍ର ପାଲଟିପାରନ୍ତା ବୋଲି କାହ୍ନା କୁହନ୍ତି।
ସାତକୋଶିଆ ଅଭୟାରଣ୍ୟ- ମହାନଦୀର ବିସ୍ତୀର୍ଣ୍ଣ ଜଳରାଶି ନିକଟରେ ରହିଛି ସାତକୋଶିଆ ଅଭୟାରଣ୍ୟ। ଏହା ଅନୁଗୋଳ, ନୟାଗଡ଼, କଟକ ଓ ବୌଦ୍ଧ ଜିଲାର କିଛି ଅଂଶକୁ ନେଇ ଗଠିତ। ୨୦୦୭ରେ ଏହି ଅଞ୍ଚଳକୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟ ଭାବେ ନାମିତ କରାଯାଇଛି। ଏହା କେବଳ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ନୁହେଁ, ବରଂ ଘଡ଼ିଆଳ କୁମ୍ଭୀରଙ୍କ ପ୍ରଜନନ ପାଇଁ ଏକ ଉତ୍ତମ ସ୍ଥାନ। ଏହା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ରହିଛି। ଏଠାରେ ବିଭିନ୍ନ ଜାତିର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳେ। ଏହି ଅଭୟାରଣ୍ୟଟି ଜାତୀୟ ଉଦ୍ୟାନ, ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଭାବେ ସରକାରୀ ମାନ୍ୟତା ପାଇଛି। ଏହା ଟିକରପଡ଼ା ଘଡ଼ିଆଳ କୁମ୍ଭୀର ଗବେଷଣା ଓ ସଂରକ୍ଷଣ ପ୍ରକଳ୍ପ ଭାବେ ପରିଚିତ। ଗ୍ରାମବାସୀ ଓ ଜଙ୍ଗଲ ପରିଚାଳନା ନୀତିରେ ଏହାର ବିକାଶ ପାଇଁ ଉଦ୍ୟମ କରାଯାଉଛି। ଏଠାରେ ପର୍ଯ୍ୟଟକଙ୍କ ପାଇଁ ଦେଶୀଘର, ବାଉଁଶ ଘର, ତମ୍ବୁଘର ରହିଛି। ପୁରୁଣାକୋଟ୍ର ଛୁଟକେଇ ନେଚର କ୍ୟାମ୍ପ୍ରେ ଟେଣ୍ଟଘର, କଟେଜ୍ ରହିଛି।
ଚିଲିକା ପକ୍ଷୀ ଅଭୟାରଣ୍ୟ, ଇରାଓ୍ବାଡ଼ି ଡଲ୍ଫିନ- ଚିଲିକା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଲବଣାକ୍ତ ହ୍ରଦ ଭାବେ ପରିଚିତ। ଏହାର ଜୈବ ବିବିଧତା ପାଇଁ ରାମ୍ସାରରେ ସ୍ଥାନ ପାଇଛି। ବିଶେଷକରି ଶୀତଦିନେ ଚିଲିକାର ପକ୍ଷୀ ଅଭୟାରଣ୍ୟ ନଳବଣକୁ ବିଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ବିଭିନ୍ନ ପ୍ରଜାତିର ପକ୍ଷୀ ଆସିଥା’ନ୍ତି। ପକ୍ଷୀଗୁଡ଼ିକ ସାଇବେରିଆ, ଚାଇନା, ଲଦାଖ୍, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇରାକ, ଇରାନ୍, ଭୁଟାନ, ନେପାଳ ଆଦି ଦେଶରୁ ଆସିଥା’ନ୍ତି। ଏହାବ୍ୟତୀତ ବିଶେଷକରି ଚିଲିକାର କାଳିଜାଈ ଗଣ୍ଡ, ନଳବଣ, ସାତପଡ଼ା, ରାଜହଂସ ଓ ସି’ ମାଉଥ୍ ଆଦି ଅଞ୍ଚଳରେ ଇରାଓ୍ବାଡ଼ି ଡଲ୍ଫିନ୍ ଦେଖିବାକୁ ମିଳନ୍ତି। ଶୀତଦିନେ ଚିଲିକାର ନଳବଣରେ ବହୁସଂଖ୍ୟକ ପକ୍ଷୀଙ୍କ ସମାଗମ ହେଉଥିବା ବେଳେ ମଙ୍ଗଳାଯୋଡ଼ିରେ ବର୍ଷର ପ୍ରାୟ ସବୁ ସମୟରେ କେତେକ ଜାତିର ପକ୍ଷୀ ବାସ କରୁଥିବା ଦେଖିବାକୁ ମିଳେ।
ଭିତରକନିକା ଜାତୀୟ ଉଦ୍ୟାନ- କେନ୍ଦ୍ରାପଡ଼ା ଜିଲାର ଭିତରକନିକା ଅଭୟାରଣ୍ୟ ଭାରତର ଦ୍ୱିତୀୟ ବୃହତ୍ତମ ଲୁଣାଜଙ୍ଗଲ। ଭାରତ ସରକାରଙ୍କ ତରଫରୁ ୧୯୭୫ ମସିହାରେ ଭିତରକନିକାକୁ ଜାତୀୟ ଉଦ୍ୟାନ ଭାବେ ଘୋଷଣା କରାଯାଇଛି। ୧୯ ଅଗଷ୍ଟ ୨୦୦୨ରେ ୟୁନେସ୍କୋ ତରଫରୁ ଏହାକୁ ରାମ୍ସାର ସାଇଟ୍ ଭାବେ ଅନ୍ତର୍ଜାତୀୟ ଆର୍ଦ୍ରଭୂମି ଘୋଷଣା କରାଯାଇଛି। ଏଠାକାର ଲବଣାକ୍ତ ଜଳରେ ବିଶେଷକରି ଘଡ଼ିଆଳ, ଶଙ୍ଖୁଆ କୁମ୍ଭୀର ରହିଥିବାବେଳେ ସାମୁଦ୍ରିକ କଇଁଛ, କଙ୍କଡ଼ା, ଖଇଙ୍ଗା ମାଛ, ଇଲିଶି, ଚିଙ୍ଗୁଡ଼ି ଏବଂ ସନ୍ତସନ୍ତିଆ ପରିବେଶରେ ଗୋଧି, ସାପ ଓ ଅନେକ ବିରଳ ସରୀସୃପ ଦେଖାଯାଆନ୍ତି। ଏହି ଜାତୀୟ ଉଦ୍ୟାନ ପରିବେଶରେ ବ୍ରାହ୍ମଣୀ, ବୈତରଣୀ ଓ ଧାମରା ନଦୀର ଏକ ତ୍ରିକୋଣ ଭୂମିରେ ହେନ୍ତାଳବଣ ରହିଛି।
ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟ- ଭୁବନେଶ୍ୱର ଉପକଣ୍ଠ ଉତ୍ତର-ପଶ୍ଚିମ କୋଣରେ ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅବସ୍ଥିତ। ଏହା ହାତୀଙ୍କ ଆଶ୍ରୟସ୍ଥଳ। ଏହା ଏକ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରକଳ୍ପ। ଏଠାରେ ଡେରାସ ଓ ଝୁମୁକା ଜଳଭଣ୍ଡାର ରହିଛି। ଏହାକୁ ୧୯୮୨ରେ ହାତୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ଏଠାକାର ଚିରହରିତ୍ ଅରଣ୍ୟରେ ଉପକୂଳିଆ ଶାଳ, କଣ୍ଟିବାଉଁଶ ଜଙ୍ଗଲ, ୟୁପଟୋରିଆମ, କାଳୁଚିଆ ବେଲ, ଗିରିଙ୍ଗା, ସୁନାରୀ, ଶାଳ, କୁର୍ମ, ଜାମୁ , କୁମ୍ଭି, କରଞ୍ଜ, ବେତ, ଶିଧ, ଆମ୍ବ, ତେନ୍ତୁଳି, ପଣସ ବୃକ୍ଷ ରହିଛି। ବିଶେଷକରି ପକ୍ଷୀଙ୍କ ମଧ୍ୟରେ କୋଚିଲା, ମୟୂର, ଶୁଆ, ଗୁଣ୍ଡୁରୀ, ବଣକୁକୁଡ଼ା ଦେଖାଯାଆନ୍ତି।
ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ- ଓଡ଼ିଶା ଉପକୂଳରେ ଥିବା ମହାନଦୀର ତ୍ରିକୋଣ ଭୂମିକୁ ଲାଗିଛି କେନ୍ଦ୍ରାପଡ଼ା ଜିଲାର ଗହୀରମଥା। ଏଠାରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ଦେଖାଯାଆନ୍ତି। ଏହା ବ୍ୟତୀତ ଋଷିକୁଲ୍ୟା ଓ ଦେବୀନଦୀ ମୁହାଣରେ ଏହି କଇଁଛମାନେ ଅଣ୍ଡାଦେବାକୁ ଆସିଥା’ନ୍ତି।
ଉଷାକୋଠି- ସମ୍ବଲପୁର ଜିଲା ବଡ଼ରମା ଅଭୟାରଣ୍ୟ ବା ଉଷାକୋଠି ଦେଇ ଦୁଇଟି ନଦୀ ବରଧା ଓ ଫେଙ୍ଗନା ପ୍ରଭାହିତ। ଏହି ଅଭୟାରଣ୍ୟ ସମ୍ବଲପୁର ସହର ନିକଟରେ ରହିଛି। ସେହିପରି ରାଉରକେଲାରୁ ଏଠାକୁ ପ୍ରାୟ ୨୦୦ କିମି ଦୂର ହେବ। ଏହି ଅଭୟାରଣ୍ୟରେ ଶାଳ, ପିଆଶାଳ, ଆକାଇଆ, ଅର୍ଜୁନ ବହୁତ ପରିମାଣର ରହିଛି। ଏହି ଜଙ୍ଗଲରେ ନୀଳଗାଈ, କୋକିଶିଆଳ, ହରିଣ, ନେଉଳ ଆଦି ବିଭିନ୍ନ ଜୀବଜନ୍ତୁ ବାସକରନ୍ତି।
ଦେବ୍ରିଗଡ଼- ଓଡ଼ିଶାର ବରଗଡ଼ ଜିଲାରେ ଦେବ୍ରିଗଡ଼ ସଂରକ୍ଷିତ ଅଭୟାରଣ୍ୟ ଅବସ୍ଥିତ। ଏହାର କ୍ଷେତ୍ରଫଳ ପ୍ରାୟ ୩୫୪ ବର୍ଗକି.ମି.। ଏହାର ପୂର୍ବ ସୀମାରେ ହୀରାକୁଦ ଜଳଭଣ୍ଡାର। ପ୍ରକୃତିପ୍ରେମୀମାନଙ୍କ ପାଇଁ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳ। ଏଠାରେ ଚୌରାଶିଙ୍ଗା ହରିଣ, ଗୟଳ, ଶମ୍ବର, କଲରା ପତରିଆ ବାଘ ଆଦି ଅନେକ ଜଙ୍ଗଲ ଜୀବଜନ୍ତୁ ଦେଖାଯାଆନ୍ତି। ହୀରାକୁଦ ଜଳଭଣ୍ଡାରରେ ବିଭିନ୍ନ ଜାତିର ପକ୍ଷୀଙ୍କୁ ମଧ୍ୟ ଦେଖିବାକୁ ମିଳେ। ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହି ଜଙ୍ଗଲର କେତେକ ସ୍ଥାନରେ ଇକୋ ଆବାସ ତିଆରି ରହିଛି ।
କେନ୍ଦୁଝର ହାତୀ ସଫାରି – କେନ୍ଦୁଝର ଜିଲାରେ ହାତୀମାନଙ୍କ ଚଳପ୍ରଚଳ ଲାଗିରହିଛି ା ବିଭିନ୍ନ ଜଙ୍ଗଲ ଓ ପାହାଡ଼ରେ ହାତୀମାନେ ଦଳ ଦଳ ହୋଇ ବୁଲୁଥିବା ବେଳେ ଅନେକ ସମୟରେ ପଦାକୁ ଆସି ଗାଁ ଗଣ୍ଡାରେ ବୁଲୁଛନ୍ତି ା ଧାନ କ୍ଷେତରେ ଧାନ ଫସଲ ଖାଉଥିବା ବେଳେ ବାଡ଼ିରୁ ପନିପରିବା ଖାଉଛନ୍ତି ା ଏହାକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଭୟ ଓ ଆତଙ୍କ ଖେଳିଯାଉଛି, ସେତିକି ସେମାନଙ୍କୁ ଦେଖିବାକୁ ଅନେକଙ୍କ ପାଇଁ ରୋମାଞ୍ଚକର ଦୃଶ୍ୟ ପାଲଟିଛି ା କେନ୍ଦୁଝର ବନଖଣ୍ଡ ଅଞ୍ଚଳର ବୈତରଣୀ, ସମାକୋଇ, ନରଣପୁର, ଚମକପୁର, ନୟାକୋଟ, କାଳିକା ପ୍ରସାଦ, ଅଞ୍ଜର, କଳାପାଟ, ଅଟେଇ, ବର୍ଦ୍ଧନ, ଠାକୁରାଣୀ, ସିଦ୍ଧମଠ, ବାରବାଙ୍କ, ବେଲଦା ଆଦି ଜଙ୍ଗଲାଞ୍ଚଳରେ ହାତୀମାନେ ଦଳ ଦଳ ହୋଇ ବୁଲୁଥିବା ଦେଖିବାକୁ ମିଳିଥାଏ ା ହାତୀମାନଙ୍କୁ ଦେଖିବାକୁ ଅନେକ ସମୟରେ ଲୋକମାନଙ୍କ ଭିଡ଼ ଜମିଥାଏ ା ସେଥିରେ ମଧ୍ୟ ଦନ୍ତା ଓ ଛୁଆ ହାତୀ ଅଛନ୍ତି ା କେତେବେଳେ ହାତୀପଲଙ୍କ ଫସଲ ଖାଉଥିବା ଦୃଶ୍ୟ ତ କେତେବେଳେ ହାତୀମାନଙ୍କ ନଦୀନାଳରେ ସ୍ନାନ କରିବା ଦୃଶ୍ୟ ଅନେକଙ୍କୁ ବିମୋହିତ କରିଥାଏ ା କେତେବେଳେ ଲମ୍ବାଧାଡ଼ିରେ ରାସ୍ତା ପାର ହେଉଥିବା ଦୃଶ୍ୟ ଦେଖିବାର ସୁଯୋଗ ହାତଛଡା କରିନଥାନ୍ତି ଲୋକେ। ସତେଯେପରି ସମଗ୍ର ଜିଲା ହାତୀସଫାରି ପାଲଟିଛି ା ବାହାରୁ ମଧ୍ୟ ବହୁ ଲୋକ ଖୋଲାଖୋଲି ବିଚରଣ କରୁଥିବା ହାତୀ ଦେଖିବାକୁ ଆସିଥା’ନ୍ତି ା ଅନେକ ଦୂରରୁ ଫଟୋ ଉଠାଇ ଖୁସି ହୋଇଥା’ନ୍ତି ା
ଶିମିଳିପାଳ- ମୟୂରଭଞ୍ଜ ଜିଲାରେ ଶିମିଳିପାଳ ଅଭୟାରଣ୍ୟ ଅବସ୍ଥିତ। ଶିମିଳିପାଳକୁ ୨୭ ମେ’ ୨୦୦୯ରେ ବିଶ୍ୱ ଐତିହ୍ୟ ମାନ୍ୟତା ମିଳିଛି। ବ୍ୟାଘ୍ର ସଂରକ୍ଷିତ କ୍ଷେତ୍ର ଶିମିଳିପାଳ ଏକ ଜୈବମଣ୍ଡଳ। ଏଠାରେ କଳାରଙ୍ଗର ବାଘ ଦେଖାଯାଆନ୍ତି। ଏଠାକାର ଜଳବାୟୁ ବିଭିନ୍ନ ପ୍ରଜାତିର ବାଘ ପାଇଁ ଉପଯୁକ୍ତ ବୋଲି କେତେକ ଗବେଷକ ମତ ଦିଅନ୍ତି। ଏହି ଅଭୟାରଣ୍ୟର ଆୟତନ ପ୍ରାୟ ୮୪୫.୭୦ବର୍ଗ କି.ମି। ଏହା ମଧ୍ୟରେ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ରହିଛି। ଶିମିଳିପାଳ ରାଜ୍ୟ ତଥା ଦେଶର ବୃହତ୍ ବିଷୁବ ମଣ୍ଡଳୀୟ ଜଙ୍ଗଲ। ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୧୬୫.୬ ମିଟର ଉଚ୍ଚରେ ଅବସ୍ଥିତ। ଏହି ଜାତୀୟ ଉଦ୍ୟାନରେ ମହାବଳ, କଲରାପତରିଆ ବାଘ, ଜଙ୍ଗଲୀ ବିରାଡ଼ି, ବଳିଆ କୁକୁର, ଗଧିଆ, ହାତୀ, ଶମ୍ବର, କୁଟୁରା, ହରିଣ, ଚୌସିଙ୍ଗା, ଗୟଳ, ଗୁରାଣ୍ଡି, ବାର୍ହା, ବଜ୍ରକାପ୍ତା, ଝିଙ୍କ, ପାହାଡ଼ି କଇଁଛ ଆଦି ବିଭିନ୍ନ ଜୀବଜନ୍ତୁ ଦେଖିବାକୁ ମିଳେ। ଏଠାରେ ୧୦୭୬ ପ୍ରଜାତିର ବୃକ୍ଷଲତା, ୧୦୨ ପ୍ରକାର ଅର୍କିଡ୍, ୬୦୪ ପ୍ରକାର ଔଷଧୀୟ ବୃକ୍ଷ, ୫୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୩୦୪ ପ୍ରଜାତିର ପକ୍ଷୀ, ୬୨ ପ୍ରକାର ସରୀସୃପ, ୨୦ ପ୍ରଜାତିର ଉଭୟଚର ପ୍ରାଣୀ ଓ ଅସଂଖ୍ୟ ପ୍ରଜାତିର କୀଟପତଙ୍ଗ ଦେଖିବାକୁ ମିଳନ୍ତି। ଓଡ଼ିଶାର ସର୍ବବୃହତ୍ ଜିଲା ମୟୂରଭଞ୍ଜର ଆୟତନ ୧୦,୪୧୮ ବର୍ଗ କିମି ହୋଇଥିବା ବେଳେ ସେଥିମଧ୍ୟରୁ ଶିମିଳିପାଳ ଜୈବ ମଣ୍ଡଳ ପାଇଁ ୫୫୬୯ ବର୍ଗକିମି ସଂରକ୍ଷିତ। ସେଥିରୁ ୨୨୭୧.୭୮ ବର୍ଗ କିମି ଶିିମିଳିପାଳ ସଂରକ୍ଷିତ ଅଭୟାରଣ୍ୟ । ଏହା ସାରା ଦେଶରେ ସର୍ବବୃହତ୍ ସଂରକ୍ଷିତ ବନକ୍ଷେତ୍ର ଭାବେ ପରିଗଣିତ ହୋଇଥିବା ବେଳେ ଏସିଆ ମହାଦେଶର ଦ୍ୱିତୀୟ ବୃହତମ ଜୈବ ମଣ୍ଡଳ ଭାବେ ପରିଚିତି ଲାଭ କରିଛି ା
ତପ୍ତପାଣୀର ମୃଗ ବିହାର: ଗଞ୍ଜାମ ଜିଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ସାନଖେମୁଣ୍ଡି ବ୍ଲକର ତପ୍ତପାଣି ଉଷ୍ଣ ପ୍ରସ୍ରବଣ ଅନ୍ୟତମ। ବର୍ଷ ତମାମ ଗଞ୍ଜାମ, ଗଜପତି ସମେତ ଓଡ଼ିଶା ଓ ବାହାର ରାଜ୍ୟରୁ ମଧ୍ୟ ବହୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ଏଠିକାର ଅନ୍ୟ ଏକ ଆକର୍ଷଣୀୟ କେନ୍ଦ୍ର ହେଉଛି ବନବିଭାଗ ଦ୍ୱାରା ୧୯୮୬ ମସିହାରୁ ଏଠାରେ ଏକ ମୃଗ ବିହାର କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ଏହି ସଂରକ୍ଷଣ କେନ୍ଦ୍ରରେ ବର୍ତ୍ତମାନ ୧୦୬ ହରିଣ ଅଛନ୍ତି। ଏହାସହ ୫୪ଟି ଶମ୍ବର, ୪ଟି କୁଟୁରା, ଗୋଟିଏ ଚୌସିଙ୍ଗା, କୃଷ୍ଣସାର ମୃଗ ଓ ଗୋଟିଏ ଏମୁ ପକ୍ଷୀ ମଧ୍ୟ ଅଛି। ତପ୍ତପାଣି ବୁଲିବାକୁ ଆସୁଥିବା ପ୍ରତ୍ୟେକ ପର୍ଯ୍ୟଟକ ଏହି ମୃଗ ସଂରକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହ ପ୍ରକୃତି କୋଳରେ ଏହି ନିରୀହ ବିଲୁପ୍ତ ପ୍ରାୟ ପ୍ରାଣୀଙ୍କ ସହ କିଛି ସମୟ ବିତାଇବାକୁ ଭୁଲି ନଥା’ନ୍ତି ।
ଓଡ଼ିଶାରେ ଆହୁରି ବି ଅନେକ ଅଭୟାରଣ୍ୟ ରହିଛି। ସେଥିମଧ୍ୟରେ ସୁନାବେଡ଼ା ଅଭୟାରଣ୍ୟ ଛତିଶଗଡ଼ ସୀମା ଏବଂ ନୂଆପଡ଼ା ଜିଲାରେ ରହିଥିବାବେଳେ ଏଠାରେ ପ୍ରାୟ୧୧ଟି ଜଳପ୍ରପାତ ରହିଛି। ସେହିପରି ଗଜପତି ଜିଲାର ଲାଖରି ବନ୍ୟଜନ୍ତୁ ଅଭୟାରଣ୍ୟ, କଳାହାଣ୍ଡି ଜିଲାର କର୍ଲାପାଟ ଅଭୟାରଣ୍ୟ, କନ୍ଧମାଳ ଜିଲାର କୋଟଗଡ଼ ଅଭୟାରଣ୍ୟ, ପୁରୀ ଜିଲାର ପୁରୀ-କୋଣାର୍କ ବାଲୁକାଖଣ୍ଡ ଅଭୟାରଣ୍ୟ, ସମ୍ବଲପୁର ଜିଲାର ଖଳାସୁଣି ଅଭୟାରଣ୍ୟ, ବାଲେଶ୍ୱରର କୁଳଡିହା ଅଭୟାରଣ୍ୟ, ନୟାଗଡ଼ ଜିଲାର ବାଇଶପାଲି ଅଭୟାରଣ୍ୟ, କନ୍ଧମାଳର ବାଲିକୁଦା ଉପଖଣ୍ଡରେ ଥିବା କୋଟଗଡ଼ ଅଭୟାରଣ୍ୟ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲା ସୀମାକୁ ଲାଗିଥିବା ହଦଗଡ଼ ଅଭୟାରଣ୍ୟ ଆଦି ଅନ୍ୟତମ। ଏତଦ୍ ବ୍ୟତୀତ ଗଞ୍ଜାମ ଜିଲାର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଆସିକା ବନାଞ୍ଚଳର ଭେଟନଈ ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖାଯାଆନ୍ତି। ଆସିକା-ବୁଗୁଡ଼ା ବନାଞ୍ଚଳର ଜଙ୍ଗଲ ବିଭାଗ ଏବଂ ସ୍ଥାନୀୟ କେତେଖଣ୍ଡ ଗ୍ରାମବାସୀଙ୍କ ଉଦ୍ୟମରେ ଏହି ପ୍ରାଣୀଙ୍କ ସୁରକ୍ଷା ସମିତି ଗଠନ କରାଯାଇଛି। ସେହିପରି ଗଞ୍ଜାମ ଜିଲାର ସେରଗଡ଼ ଓ ଆସିକା ଅଞ୍ଚଳର ପକଡ଼ି ପାର୍ବତ୍ୟାଞ୍ଚଳରେ ବହୁଳ ସଂଖ୍ୟାରେ ମୟୂର ଦେଖାଯାଆନ୍ତି। ଏମାନଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ୱାରା ମୟୂର ସୁରକ୍ଷା କମିଟି ଗଠନ କରାଯାଇଛି। ତେବେ ବନ୍ୟଜନ୍ତୁ ଓ ତାଙ୍କର ବାସସ୍ଥାନକୁ ଯଥାର୍ଥ ସୁରକ୍ଷା ଦେବା ପାଇଁ ଭାରତ ସରକାରଙ୍କ ବନ୍ୟଜନ୍ତୁ ସୁରକ୍ଷା ଆଇନ ରହିଛି। ଓଡ଼ିଶାରେ ଥିବା ବିଭିନ୍ନ ପ୍ରକାରର ଏକାଧିକ ଅଭୟାରଣ୍ୟ ଜୈବ ବିବିଧତାର ସ୍ବତନ୍ତ୍ର ପରିଚୟ ବହନକରେ।
– ବନବିହାରୀ ବେହେରା, ନରେଶ ପଟ୍ଟନାୟକ, କାର୍ତ୍ତିକ ସାହୁ, ଭାସ୍କର ରାଉତରାୟ, ନୀଳାଦ୍ରି ବିହାରୀ ଦଣ୍ଡପାଟ, ତନୁଶ୍ରୀ ନାହାକ