Categories: ଖେଳ

ଫୁଟ୍‌ବଲରେ ବଢ଼ିଛି ବିଦ୍ୱେଷ

ଲଣ୍ଡନ, ୧୩ା୭(ପି.ଟି.): ବିଶ୍ୱର ଅନ୍ୟତମ ଲୋକପ୍ରିୟ ଖେଳ ଫୁଟବଲ୍‌ରେ ବିଦ୍ୱେଷ ବଢିଥିବା ନେଇ କିକ୍‌ ଇଟ୍‌ ଆଉଟ୍‌ ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ପୂର୍ବ ବର୍ଷ ତୁଳନାରେ ୨୦୨୨-୨୩ରେ ଫୁଟବଲ ପଡିଆରେ ବିଦ୍ୱେଷାତ୍ମକ ଆଚରଣ ବେଶ୍‌ ବୃଦ୍ଧି ପାଇଥିବା କୁହାଯାଇଛି। ବୁଧବାର ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨-୨୩ ସିଜନରେ ଏଭଳି ମାମଲା ସଂଖ୍ୟା ୧୦୦୭ରେ ପହଞ୍ଚିଛି, ଯାହାକି ବିଗତ ବର୍ଷ ତୁଳନାରେ ୬୫.୧% ଅଧିକ। ତୃଣମୂଳ ସ୍ତରର ଫୁଟବଲ କ୍ୟାମ୍ପେନ ସହିତ ବ୍ରିଟେନର ବିଭିନ୍ନ ପ୍ରଫେସନାଲ ଲିଗ୍‌ ଓ ସୋସିଆଲ ମିଡିଆରେ ଅନୁସନ୍ଧାନ ପରେ ଏହି ରିପୋର୍ଟ ପ୍ରକାଶ କରିଛି କିକ୍‌ ଇଟ୍‌ ଆଉଟ୍‌।
ପ୍ରିମିୟର ଲିଗ୍‌, ଫୁଟବଲ୍‌ ଲିଗ୍‌, ନ୍ୟାଶନାଲ ଲିଗ୍‌, ଡୋମେଷ୍ଟିକ୍‌ କପ୍‌, ୟୁରୋପିଆନ୍‌ ଲିଗ୍‌, ଅନ୍ତର୍ଜାତୀୟ ମ୍ୟାଚ୍‌, ଓମେନ୍ସ ସୁପର ଲିଗ୍‌ ଓ ଓମେନ୍ସ ଚାମ୍ପିୟନଶିପ୍‌ରେ ଏସବୁ ମାମଲାରେ ୨୭.୪ ପ୍ରତିଶତ ବୃଦ୍ଧି ଘଟିଛି। ଏସବୁ ଚାମ୍ପିୟନଶିପ୍‌ରେ ୪୮୪ଟି ଏଭଳି ମାମଲା ସମ୍ମୁଖକୁ ଆସିଛି। କିକ୍‌ ଇଟ୍‌ ଆଉଟ୍‌ ଅନୁସାରେ ଫୁଟବଲ୍‌ର ଲୋକପ୍ରିୟତା ସହିତ ଏହି ଖେଳରେ ବିଦ୍ୱେଷ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଗତ ୧୨ ମାସ ମଧ୍ୟରେ ଅନ୍‌ଲାଇନରେ ଏଭଳି ଆଚରଣ ମଧ୍ୟ ବଢିବାରେ ଲାଗିଛି। ୨୭୯%ର ବୃଦ୍ଧି ସହିତ ସମୁଦାୟ ୨୦୭ ମାମଲା ସାମ୍ନାକୁ ଆସିଛି। ତେବେ ସମୁଦାୟ ବିଦ୍ୱେଷ ମାମଲାର ୪୯.୩ ପ୍ରତିଶତ କେବଳ ବର୍ଣ୍ଣବୈଷମ୍ୟ ଆଧାରରେ ରହିଛି। ଯୌନ ନିର୍ଯାତନା ଓ ତତ୍‌ ସମ୍ବନ୍ଧିତ ମାମଲାରେ ୪୦୦ ପ୍ରତିଶତ ବୃଦ୍ଧି ଘଟିଛି। ପୂର୍ବରୁ ଏଭଳି ୧୬ ମାମଲା ସାମ୍ନାକୁ ଆସିଥିବା ବେଳେ ଚଳିତ ବର୍ଷ ଏହି ସଂଖ୍ୟା ୮୦ରେ ପହଞ୍ଚିଛି।
ଧର୍ମ ବିଦ୍ୱେଷ ସମ୍ପର୍କିତ ମାମଲାରେ ୨୯.୫ ପ୍ରତିଶତ ହ୍ରାସ ଘଟିଥିବା ବେଳେ ମ୍ୟାଚ୍‌ ସମୟରେ ଇସଲାମ ବିରୋଧୀ ନାରାରେ ୩୦୦ ପ୍ରତିଶତ ବୃଦ୍ଧି ଘଟିଛି। ସେହିପରି ଅନ୍ୟ ଧର୍ମ ବିରୋଧୀ ନାରାରେ ମଧ୍ୟ ୧୫.୮ ପ୍ରତିଶତର ବୃଦ୍ଧି ଘଟିଛି। ଏଭଳି ଭେଦଭାବରେ ବୃଦ୍ଧି ଫୁଟବଲ ପାଇଁ କ୍ଷତିକାରକ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ସହିତ ବିଭିନ୍ନ କ୍ଲବ ପକ୍ଷରୁ ରିପୋର୍ଟ ଶେୟାର କରାଯାଇ ନ ଥିବାରୁ ଏହି ସଂଖ୍ୟା କମ୍‌ ରହିଛି। ଏହାର ମୁକାବିଲା କରିବା ପାଇଁ ଏକ ସ୍ବୟଂକ୍ରିୟ ବ୍ୟବସ୍ଥା ପ୍ରଚଳିତ ହେବା ଆବଶ୍ୟକ ବୋଲି ମଧ୍ୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share