ସହାୟତା ଅପେକ୍ଷାରେ କ୍ୟାନ୍ସର ପୀଡ଼ିତା ଅନିନ୍ଦିତା

କାକଟପୁର,୨୫।୯(ଡି.ଏନ୍‌.ଏ.):ପୁରୀ ଜିଲା କାକଟପୁର ବ୍ଲକ ଅଞ୍ଚଳର ୫ବର୍ଷର ଝିଅ ଅନିନ୍ଦିତା ଜୀବନ କ’ଣ ଜାଣିବା ଆଗରୁ ସମୟ ତାଙ୍କୁ ଏକ ବିପଦପୂର୍ଣ୍ଣ ସ୍ଥିତି ଆଡ଼କୁ ନେଇଯାଇଛି। କାରଣ ସେ ଏବେ ବ୍ଲଡ କ୍ୟାନ୍ସର (ରକ୍ତ କର୍କଟ) ରୋଗରେ ପୀଡ଼ିତ ହୋଇ ରାଜ୍ୟ ବାହାରର ଏକ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜୁଥିବାରୁ ପରିବାର ଲୋକେ ପ୍ରଶାସନ ଓ ସହୃଦୟ ବ୍ୟକ୍ତିଙ୍କ ସହାୟତାକୁ ଚାହିଁ ବସିଛନ୍ତି।
ବାପା ବିକାଶ ସାହୁ କୋହଭରା କଣ୍ଠରେ କହିଛନ୍ତି, ଅନିନ୍ଦିତା ଜନ୍ମ ସମୟରେ ଠିକ୍‌ ଥିଲେ। ତେବେ କିଛି ବର୍ଷ ପରେ ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେବାରେ ଲାଗିଥିଲା। ଚିକିତ୍ସା କରିବା ସତ୍ତ୍ୱେ ନ କମିବାରୁ ବାହାର ହସ୍ପିଟାଲରେ ଦେଖାଇବାରୁ ଅନିନ୍ଦିତାଙ୍କୁ ବ୍ଲଡ଼ କ୍ୟାନ୍ସର ହୋଇଥିବା ଡାକ୍ତର କହିଥିଲେ। ଏଥିପାଇଁ ବିଭିନ୍ନ ଡାକ୍ତରଖାନାରେ ତାଙ୍କୁ ଅନେକ ଥର କେମୋ ଦିଆଯାଇଥିଲା। ତଥାପି ସ୍ବାସ୍ଥ୍ୟରେ ଉନ୍ନତି ନ ଆସିବାରୁ ଶେଷରେ ତାଙ୍କର ବୋନମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ ବୋଲି ଡାକ୍ତରଖାନା ପକ୍ଷରୁ କୁହାଯାଇଥିଲା। ଏହି ଚିକିତ୍ସା ଓଡ଼ିଶାରେ ହୋଇପାରୁ ନ ଥିବାରୁ ପରିବାରବର୍ଗ ଅନିନ୍ଦିତାଙ୍କୁ କୋଲକାତାର ଏକ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ଚାଲିଥିବାବେଳେ ଏହି ଟ୍ରାନ୍ସପ୍ଲାଣ୍ଟ ପାଇଁ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ। ଫଳରେ ପରିବାରବର୍ଗ ଭାଙ୍ଗିପଡ଼ିଥିଲେ। କାରଣ ବିକାଶ ଜଣେ ମୋବାଇଲ ମେକାନିକ ହୋଇଥିବାରୁ ଏତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ। ତେବେ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହଯୋଗ କରିବାକୁ ସେ ପ୍ରଶାସନ ଓ ଜନସାଧାରଣଙ୍କୁ ଆକୁଳ ନିବେଦନ କରିଛନ୍ତି। ଅନିନ୍ଦିତାଙ୍କୁ ପ୍ର୍ରଶାସନ ପକ୍ଷରୁ ସହାୟତା କରାଯିବାକୁ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ମଧ୍ୟ ନିବେଦନ କରିଛନ୍ତି। ଏଥିପାଇଁ ବିକାଶଙ୍କ ଆକାଉଣ୍ଟ ନମ୍ବର, ଫୋନ୍‌ ପେ, ଗୁଗଲ ପେ ତଥା କ୍ରାଉଡ୍‌-ଫଣ୍ଡିଂରେ ସହାୟତା ରାଶି ପଠାଇବାକୁ କାକଟପୁରବାସୀ ଅନୁରୋଧ କରିଛନ୍ତି। ବିକାଶଙ୍କ ଆକାଉଣ୍ଟ ନଂ. ୩୧୩୨୪୬୨୬୪୮୫ ଆଇଏଫ୍‌ଏସସି ଏସ୍‌ବିଆଇଏନ୍‌ ୦୦୧୨୦୩୫ ଏବଂ ଫୋନ ପେ, ଗୁଗଲ ପେ ନଂ. ୯୮୫୩୪୭୯୨୪୮ରେ ସହାୟତା ରାଶି ପଠାଇବାକୁ ନିବେଦନ କରାଯାଇଛି।