ପ୍ରପୋଜ୍‌ କରିବା ସମୟରେ ପ୍ରେମିକା ଅଭିନେତ୍ରୀ ବୋଲି ଜାଣି ନ ଥିଲେ ରୋହିତ

ଛୋଟ ପରଦା ଅଭିନେତ୍ରୀ ଅନିତା ହାସନନ୍ଦାନୀ ଆଜି ତାଙ୍କ ୪୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୧୪ ଏପ୍ରିଲ ୧୯୮୧ରେ ମୁମ୍ବାଇର ଏକ ସିନ୍ଧି ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅନେକ ସିରିଏଲରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ସେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ। ଏହା ସହ ନିକଟରେ ଅନିତା ମା’ ମଧ୍ୟ ହୋଇଛନ୍ତି। ତାଙ୍କ ଫିଟନେସକୁ ଦେଖିଲେ କେହି କହିପାରିବେ ନାହିଁ ତାଙ୍କୁ ୪୦ ବର୍ଷ ହେଲାଣି ।
ସେ ୨୦୧୩ରେ କର୍ପୋରେଟ ପ୍ରଫେସନାଲ ରୋହିତ ରେଡ୍ଡୀଙ୍କୁ ବିବାହ କରି ତାଙ୍କର ନୂତନ ଜୀବନ ଆରମ୍ଭ କରିଥିଲେ। ଏହି ଅବସରରେ ତାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡିତ କିଛି ବିଶେଷ କଥା ଜାଣନ୍ତୁ ।

ଜିମରେ ବ୍ୟାୟାମ କରୁଥିବା ସମୟରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା। ଏକ ସାକ୍ଷାତକାରରେ ଅନିତା ତାଙ୍କ ସମ୍ପର୍କ ବିଷୟରେ କହିଥିଲେ। ରୋହିତ ତାଙ୍କୁ କିପରି ପ୍ରପୋଜ୍‌ କରିଥିଲେ ତା ମଧ୍ୟ କହିଥିଲେ।

ଅନିତା କହିଥିଲେ ଯେ, ରୋହିତ ତାଙ୍କୁ ଏକ ପବ ବାହାରେ ପ୍ରପୋଜ୍‌ କରିଥିଲେ। ସେ ପର୍ଯ୍ୟନ୍ତ ରୋହିତ ଜାଣି ନ ଥିଲେ ଯେ, ଅନିତା ଜଣେ ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ। କାରଣ ରୋହିତ ଅଧିକାଂଶ ସମୟ ନ୍ୟୁଜ ଚ୍ୟାନେଲ ଦେଖୁଥିଲେ। ଏଥି ସହିତ ନିଜ ବିଷୟରେ ସେ କହିଛନ୍ତି, ‘ମୁଁ ଦିନେ ବହୁତ ପିଇଥିଲି। ସେ ଦିନ ରୋହିତଙ୍କ ସହିତ ମୋର ଝଗଡ଼ା ହୋଇଥିଲା। ପରଦିନ ମୁଁ ମୋର ଭୁଲ ବୁଝି ପାରି ତାଙ୍କୁ କ୍ଷମା ମାଗିଲି ଏବଂ ଆଉ ପିଇବି ନାହିଁ ବୋଲି କହିଥିଲି। କିନ୍ତୁ ସେ କହିଥିଲେ ତୁମକୁ କିଛି ଛାଡିବା ଆବଶ୍ୟକ ନାହିଁ। କେବଳ ନିଜର ଯତ୍ନ ନିଅ। ’

Share