Categories: ଖେଳ

ଗୋଟିଏ କିଡ୍‌ନୀରେ ସଫଳତା ହାସଲ କରିଥିଲେ ଅଞ୍ଜୁ

କୋଚି, ୭ା୧୨ (ପି.ଟି.)-ଅଲିମ୍ପିଆନ ଅଞ୍ଜୁ ବବି ଜର୍ଜ ଏକ ଟୁଇଟ୍‌ରେ ତାଙ୍କର ଏକ ବ୍ୟକ୍ତିଗତ ଗୋପନ କଥା ସାଧାରଣରେ ପ୍ରକାଶ କରିଛନ୍ତି। ୨୦୦୩ରେ ପ୍ୟାରିସ୍‌ରେ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଲଙ୍ଗ୍‌ଜମ୍ପ୍‌ରେ ଅଞ୍ଜୁ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେତେବେଳେ ତାଙ୍କର ଗୋଟିଏ କିଡ୍‌ନୀ କାର୍ଯ୍ୟକ୍ଷମ ଥିଲା ବୋଲି ସେ କହିଛନ୍ତି। ଆଇଏଏଏଫ୍‌ ଓ୍ବାଲର୍‌ଡ ଆଥଲେଟିକ୍ସ ଫାଇନାଲ୍ସ (ମୋନାକୋ ୨୦୦୫)ରେ ମଧ୍ୟ ଏହି ଟପ୍‌ ଆଥଲେଟ୍‌ ଏକ ସ୍ବର୍ଣ୍ଣ ପଦକ ଲାଭ କରିଥିଲେ। ଅଞ୍ଜୁ କହିଛନ୍ତି, ଗୋଟିଏ କିଡ୍‌ନୀ ଥିବାରୁ ତାଙ୍କ ପାଇଁ ବହୁ କଟକଣା ଥିଲା। ଆଲର୍ଜି ସତ୍ତ୍ୱେ ତାଙ୍କୁ ପେନ୍‌ କିଲର ନେବାକୁ ହେଉଥିଲା। ଉପରକୁ ଗୋଡ଼ ଟେକିବା ବିପଦ ଥିଲା। ଏହା ସତ୍ତ୍ୱେ ଗୋଟିଏ କିଡ୍‌ନୀ ଥାଇ ଯେଉଁ ହାତଗଣତି ଆଥଲେଟି ବିଶ୍ୱର ଟପ୍‌ରେ ପହଞ୍ଚତ୍ପାରିଛନ୍ତି, ସେମାନଙ୍କ ମଧ୍ୟରେ ସେ ଅନ୍ୟତମ ହୋଇ ପାରିଛନ୍ତି। କୋଚ୍‌ଙ୍କ ମ୍ୟାଜିକ୍‌ କିମ୍ବା ତାଙ୍କ ଦକ୍ଷତା ବଳରେ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇପାରେ। ସ୍ବାମୀ ରବର୍ଟ ବବି ଜର୍ଜଙ୍କ କୋଚିଂରେ ତାଙ୍କ କ୍ୟାରିୟର ପ୍ରସ୍ଫୁଟିତ ହୋଇଛି। ପୂର୍ବତନ ଷ୍ଟାର ଆଥଲେଟ୍‌ଙ୍କ ଟୁଇଟ୍‌ର ଜବାବ ରଖି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ଦୃଢ ସଂକଳ୍ପ, ଅଧ୍ୟବସାୟ ଓ କଠିନ ପରିଶ୍ରମ ଯୋଗୁ ଅଞ୍ଜୁ ଦେଶପାଇଁ ଗୌରବ ଆଣି ଦେଇଛନ୍ତି।

Share