ଲାଇଭ୍‌ଷ୍ଟ୍ରିମ୍‌ ସମୟରେ ଆଙ୍କରଙ୍କୁ ହତ୍ୟା

ମାନିଲା,୬ା୧୧: ଲାଇଭଷ୍ଟ୍ରିମ୍‌ ସମୟରେ ଜଣେ ରେଡିଓ ଆଙ୍କରଙ୍କୁ ହତ୍ୟା କରାଯାଇଛି। ଏପରି ଅଭାବନୀୟ ଘଟଣା ଫିଲିପାଇନ୍ସରେ ଘଟିଛି। ଦୁର୍ବୃତ୍ତମାନେ ସ୍ପଷ୍ଟ ଦିବାଲୋକରେ ଷ୍ଟୁଡିଓ ଭିତରେ ପଶି ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିଲେ।
ସୂଚନାଯୋଗ୍ୟ, ରବିବାର ଫିଲିପାଇନ୍ସରେ ଏକ ଫେସ୍‌ବୁକ୍‌ ଲାଇଭ୍‌ କାର୍ଯ୍ୟକ୍ରମ ସମୟରେ ରେଡିଓ ଆଙ୍କର ଉପସ୍ଥାପନା କରୁଥିବା ବେଳେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ଅଭିଯୁକ୍ତମାନେ ରାଜ୍ୟ ସମ୍ବାଦ ପ୍ରସାରଣକାରୀ ଜୁଆନ ଜୁମାଲନ୍‌ଙ୍କ ହୋମ୍‌ ରେଡିଓ ଷ୍ଟେଶନରେ ଜଣେ ଶ୍ରୋତା ଭାବରେ ପ୍ରବେଶ କରି ହତ୍ୟା କରିଥିଲେ।

ମିସାମିସ ଆକ୍ସିଡେଣ୍ଟାଲ ପ୍ରଦେଶର କାଲାମ୍ବା ସହରରେ ସକାଳର ଲାଇଭ୍‌ ପ୍ରସାରଣ ସମୟରେ ଦୁଇଥର ଆଙ୍କରଙ୍କ ଉପରକୁ ଗୁଳି ଚଳାଇଥିବା ପୋଲିସ କହିଛି। ଆକ୍ରମଣକାରୀ ସୁନା ଚେନ୍‌ ଛଡ଼ାଇ ନେଇ ମୋଟରସାଇକେଲରେ ବାହାରେ ଅପେକ୍ଷା କରିଥିବା ସାଥୀଙ୍କ ସହ ପଳାଇ ଯାଇଥିଲେ। ଅଭିଯୁକ୍ତଙ୍କ ପରିଚୟ ମିଳିପାରି ନାହିଁ। ଏହି ଆକ୍ରମଣ ତାଙ୍କର କୌଣସି କାର୍ଯ୍ୟ ସହ ଜଡ଼ିତ କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯାଉଛି।

Share