ମା’ ହେବା ନେଇ ଏମିତି କହିଲେ ଅଙ୍କିତା

ମୁମ୍ବାଇ: ଅଙ୍କିତା ଲୋଖଣ୍ଡେ ଜଣେ ଜଣାଶୁଣା ଟେଲି ଅଭିନେତ୍ରୀ। ଗତବର୍ଷ ଡିସେମ୍ବରରେ ଅଙ୍କିତା-ଭିକି ଜୈନଙ୍କୁ ବିବାହ କରିଥିଲେ। ବିବାହ ପରେ ଭିକି ଏବଂ ଅଙ୍କିତା ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି। ଏହି ସମୟରେ ଏକ ଖବର ମଧ୍ୟ ଚର୍ଚ୍ଚା ହେଉଛି କି,ଅଙ୍କିତା ମା’ ହେବାକୁ ଯାଉଛନ୍ତି। ତେବେ ଅଙ୍କିତା ଏହି ଚର୍ଚ୍ଚାକୁ ନେଇ କହିଥିଲେ ସେ ଏବଂ ଭିକିଙ୍କର ବର୍ତ୍ତମାନ ମାତାପିତା ହେବାର କୌଣସି ଉଦ୍ଦେଶ୍ୟ ନାହିଁ। କିନ୍ତୁ ଏକ ଟିଭି ଶୋ’ରେ ପହଞ୍ଚିଥିବା ଅଙ୍କିତା ମା’ ହେବାର ପ୍ରଶ୍ନ ଉପରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ଯେ, ‘ପବିତ୍ର ରିସ୍ତା’ରେ ତାଙ୍କ ଶାଶୁ ଭୂମିକାରେ ଅଭିନୟ କରୁଥବା ସବିତା ତାଇ ମଧ୍ୟ ପ୍ରତିକ୍ରିୟା ଦେବାରେ ନିଜକୁ ରୋକି ପାରିନାହାନ୍ତି।

ସୋସିଆଲ ମିଡିଆରେ ଅଙ୍କିତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଟେଲିଭିଜନ ରିୟାଲିଟି ଶୋ’ ‘ଡିଆଇଡି ସୁପର ମମ୍‌’ର ଆଗାମୀ ଏପିସୋଡ୍‌ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ଶୋ’ରେ ଅଙ୍କିତା ଏବଂ ଟିଭିର ପ୍ରସିଦ୍ଧ ଅଭିନେତ୍ରୀ ଉଷା ନାଡକର୍ନିଙ୍କୁ ଏକାଠି ଦେଖିବାକୁ ମିଳିବ। ଉଷା ଅଙ୍କିତାଙ୍କ ଶାଶୁ ଏବଂ ସୁଶାନ୍ତ ରାଜପୁତଙ୍କ ମା’ ଭୂମିକାରେ ‘ପବିତ୍ର ରିସ୍ତା’ରେ ଅଭିନୟ କରିଥିଲେ।

ଏହି ପ୍ରମୋରେ ଦେଖିବାକୁ ମିଳିଛି, ଅଙ୍କିତା ଶୋ’ର ଜଜ୍‌ ଊର୍ମିଳା ମାତେଣ୍ଡକରଙ୍କ ସହ ଫିଲ୍ମ ‘ରଙ୍ଗିଲା’ର ଏକ ଗୀତରେ ନାଚୁଛନ୍ତି। ଶୋ’ରେ ଉପସ୍ଥିତ ଭାଗବତୀ ଏବଂ ଉଷା ନାଡକର୍ଣ୍ଣି ଅଙ୍କିତା ଏବଂ ଊର୍ମିଲାଙ୍କ ଡ୍ୟାନ୍ସ ଦେଖିବା ପରେ କରତାଳି ଦେଇଥିବାର ନଜର ଆସିଛନ୍ତି। ଏହା ପରେ ଶୋ’ର ହୋଷ୍ଟ ଜୟ ଭଁସାଲି ଅଙ୍କିତାଙ୍କୁ ପଚାରନ୍ତି, ‘କୁହ ତୁମେ କେବେ ସୁପର ମମ୍‌’ ହେବାକୁ ଯାଉଛ? ଏହାର ଜବାବରେ ଅଙ୍କିତା କୁହନ୍ତି, ମୁଁ ନିଜେ ବର୍ତ୍ତମାନ ଜଣେ ଶିଶୁ। ଏହା ଉପରେ ସବିତା ତାଇ ଅର୍ଥାତ୍‌ ଉଷା ତାଙ୍କ ପରିଚିତ ଶୈଳୀରେ ଅଙ୍କିତାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ‘ଆଜା’ କହିଥିଲେ। ଏଥିରେ ଅଙ୍କିତା ଏବଂ ଜଜ୍‌ ରେମୋ ଡି’ସୁଜାଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଲୋକ ହସିବାକୁ ଲାଗିଲେ।

ଅଙ୍କିତା ଏବଂ ଭିକି ସୋସିଆଲ ମିଡିଆରେ ଗୋଆ ଛୁଟିର ଏକ ଫଟୋ ଶେୟାର କରିଥିଲେ, ଯେଉଁଥିରେ ସେ ଅଙ୍କିତାଙ୍କ ପେଟ ଉପରେ ହାତ ରଖିଥିଲେ। ଯାହା ପରେ ଅଙ୍କିତା ଗର୍ଭବତୀ ଥିବା ଚର୍ଚ୍ଚା ହୋଇଥିଲା।

Share