ବୟଫ୍ରେଣ୍ଡ୍‌ ସହ ବ୍ରେକଅପ୍‌ ପରେ ଆତ୍ମହତ୍ୟା କରିବାକୁ ଚିନ୍ତା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୨୨।୩ : ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ବ୍ରେକ୍‌ ଅପ୍‌କୁ ନେଇ ମୁହଁ ଖୋଲିଛନ୍ତି ପୂର୍ବତନ ଗର୍ଲଫ୍ରେଣ୍ଡ୍‌ ତଥା ବଲିଉଡ୍‌ ଓ ସିରିଏଲର ଜଣାଶୁଣା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ। ସୁଶାନ୍ତଙ୍କ ସହ ବ୍ରେକ ଅପ୍‌ ପରେ ମନକୁ ଆତ୍ମହତ୍ୟା ଭଳି ଚିନ୍ତା ଆସୁଥିଲା ବୋଲି ଏକ ସାକ୍ଷାତ୍‌କାରରେ କହିଛନ୍ତି ଅଙ୍କିତା।

ମୁଁ ସୁଶାନ୍ତଙ୍କୁ ଛାଡ଼ିଛି ବୋଲି ଲୋକେ ମୋତେ କୁହନ୍ତି। ତୁମେ ଜାଣିଲ କେମିତି ? ମୋ କଥା କେହି ଜାଣି ନାହାନ୍ତି। ଏଥି ନେଇ ମୁଁ କାହାକୁ ଦୋଷ ଦେଉନାହିଁ। କ୍ୟାରିୟରକୁ ପ୍ରଧ୍ୟାନ ଦେବା ସହ ରିଲେଶନଶିପ୍‌ରୁ ଚାଲି ଯାଇଥିଲେ ସୁଶାନ୍ତ। ଏହାପରେ ମୁଁ ପୂରା ଭାଙ୍ଗି ପଡ଼ିଥିଲି। କାହା ସହ କଥା ହେଉ ନ ଥିଲି। ନା ମା’ କି ବାପାଙ୍କ ସହ। ନିଜକୁ ପଚାରୁ ଥିଲି ମୋତେ କ’ଣ କରିବା ଉଚିତ? ସେତେବେଳେ ବୋଧ ହୁଏ ମୁଁ ଜୀବନ ଶେଷ କରିବାକୁ ଚାହୁଁଥିଲି ବୋଲି ଅଙ୍କିତା ଏକ ଏଣ୍ଟରଟେନମେଣ୍ଟ ପୋର୍ଟାଲକୁ ସାକ୍ଷାତ୍‌କାରରେ କହିଛନ୍ତି।

ସୁଶାନ୍ତ ଓ ଅଙ୍କିତା ଲୋକପ୍ରିୟ ଟିଭି ଶୋ ‘ପବିତ୍ର ରିସ୍ତା’ ଶୁଟିଂବେଳେ ପରସ୍ପରକୁ ଭେଟିଥିଲେ। ଏକାଠି କାମ କଲାବେଳେ ପ୍ରେମରେ ପଡ଼ିଯାଇଥିଲେ ଦୁହେଁ। ୬ ବର୍ଷର ରିଲେଶନଶିପ ପରେ ୨୦୧୬ରେ ଅଲଗା ହୋଇଯାଇଥିଲା ଏହି ଲୋକପ୍ରିୟ ଯୋଡ଼ି। ଅଙ୍କିତା ଏବେ ବୟଫ୍ରେଣ୍ଡ ଭିକି ଜେନଙ୍କୁ ଡେଟ୍‌ କରୁଛନ୍ତି। ଆଉ କିଛି ମିଡିଆ ରିପୋର୍ଟ ଅନୁଯାୟୀ, ଅଙ୍କିତାଙ୍କୁ ‘ପବିତ୍ର ରିସ୍ତା’ର ସିକ୍ୟୁଏଲରେ ଦେଖିବାକୁ ମିଳିପାରେ।

Share