Categories: ମେଟ୍ରୋ

ସ୍ଥାୟୀ ନିଯୁକ୍ତି ଦାବିରେ ଏଏନ୍‌ଏମ୍‌ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):  ସ୍ଥାୟୀ ନିଯୁକ୍ତି ଦାବିରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଗତ ୨୮ ତାରିଖରୁ ଏଏନ୍‌ଏମ୍‌ କର୍ମଚାରୀମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସେମାନେ କହିଛନ୍ତି। କରୋନା ମହାମାରୀ ସମୟରେ ସରକାରଙ୍କ ଆହ୍ବାନରେ ଏମାନେ କିଛି ଚିନ୍ତା ନ କରି ଲୋକଙ୍କ ସେବା ପାଇଁ ଆଗେଇ ଆସିଥିଲେ। ଦୀର୍ଘ ୬ ମାସ ହେବ ସେମାନେ ରୋଗୀ ସେବାରେ ଲାଗିଥିଲେ। କିନ୍ତୁ ସଂକ୍ରମଣ ଥମିବା ପରେ କୋଭିଡ୍‌ କେୟାର ସେଣ୍ଟର ବନ୍ଦ ହୋଇଯିବାରୁ ଏମାନେ ଏବେ ସମ୍ପୂର୍ଣ୍ଣ ବେକାରୀ। ଏଭଳି ସମୟରେ ସରକାର ନିଯୁକ୍ତି ବଦଳରେ ଛଟେଇ କରିଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି ମହିଳା ସ୍ବାସ୍ଥ୍ୟକର୍ମୀ। ୧୫ ଦିନ ଧରି ଏଏନ୍‌ଏମ୍‌ଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ଏହାକୁ ଅଧିକ ତୀବ୍ର କରିବାକୁ ୩ ଦିନ ହେବ ଆମରଣ ଅନଶନରେ ୩୦ରୁ ଅଧିକ ସ୍ବାସ୍ଥ୍ୟକର୍ମୀ ବସିଛନ୍ତି। ଏମାନଙ୍କ ମଧ୍ୟରୁ କେତେଜଣଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଶନିବାର ଆଉ ଜଣେ ମହିଳା ଭଦ୍ରକର ସସ୍ମିତା ପାଢୀ ଗୁରୁତର ହୋଇଛନ୍ତି। ଚିକିତ୍ସା ଲାଗି ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେପଟେ ଭାଜପା ଓ କଂଗ୍ରେସ ଧାରଣାସ୍ଥଳକୁ ଯାଇ ଏଏନ୍‌ଏମ୍‌ମାନଙ୍କୁ ଆଶ୍ୱାସନା ଦେବା ସହ ଆନ୍ଦୋଳନକୁ ନୈତିକ ସମର୍ଥନ ଜଣାଇଛି।

Share