Categories: ଜାତୀୟ

ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ: ସିଦ୍ଧୁ-ଟିକାଇତ-ଲାଖାଙ୍କ ଉପରେ ପୋଲିସ ନଜର

ନୂଆଦିଲ୍ଲୀ, ୨୭।୧: ଦିଲ୍ଲୀରେ ଅନ୍ନଦାତାଙ୍କ ହିଂସକ ପ୍ରଦର୍ଶନ ନେଇ ପୋଲିସ ଏବେ ୩ ନେତାଙ୍କ ଉପରେ ନଜର ରଖିଛି। ପଞ୍ଜାବୀ ଅଭିନେତା ଦୀପ୍‌ ସିଦ୍ଧୁ, କୃଷକ ନେତା ରାକେଶ ଟିକାଇତ ଏବଂ ଲାଖା ସିଂ ସିଧାନା ଅନ୍ନଦାତାଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ଅନ୍ନଦାତାଙ୍କ ପ୍ରଦର୍ଶନ ଜାରି ରହିଥିବାବେଳେ ସିଦ୍ଧୁଙ୍କ ଉତ୍ତେଜନାପୂର୍ଣ୍ଣ ଭାଷଣ ଯୋଗୁ ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ପ୍ରଦର୍ଶନକାରୀ ଅଣ୍ଟା ଭିଡ଼ିଥିଲେ। ସ୍ବରାଜ ଇଣ୍ଡିଆର ସଂସ୍ଥାପକ ଯୋଗେନ୍ଦ୍ର ଯାଦବ ଏନେଇ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ସେହିପରି ଲାଖାଙ୍କ ବିରୋଧରେ ଏକାଧିକ ଆପରାଧିକ ମାମଲା ରହିଛି। ସେ କୃଷକ ନେତା ଭାବେ ପ୍ରଦର୍ଶନରେ ସାମିଲ୍‌ ହୋଇଛନ୍ତି।  ଯୋଜନାବଦ୍ଧ ଭାବେ ସେ ହିଂସାକାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ସେହିପରି କୃଷକ ନେତା ରାକେଶ ଟିକାଇତ ପ୍ରଦର୍ଶନକାରୀଙ୍କୁ ଉସୁକାଇଥିବା ଅଭିଯୋଗ ହୋଇଛି। ସୋସିଆଲ୍‌ ମିଡ଼ିଆରେ ଟିକାଇତଙ୍କର ୩୦ ସେକେଣ୍ଡର ଏକ ଭିଡ଼ିଓ ଭାଇରାଲ ହେବା ପରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରଦର୍ଶନ କରୁଥିବା ଅନ୍ନଦାତା ଉଗ୍ର ହୋଇ ପଡ଼ିଥିବା କୁହାଯାଉଛି।

Share