କଟକ ଅଫିସ, ୧୧ା୯: ମଞ୍ଚନାଟକ ତଥା କଳାକାର ଓ ସଂସ୍କୃତିର ଉତ୍ପତ୍ତି ସ୍ଥଳର ଅନ୍ୟନାମ ହେଉଛି ଅନ୍ନପୂର୍ଣ୍ଣା ଥିଏଟର। କଟକସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ୧୯୩୮ରେ ପ୍ରତିଷ୍ଠା ହୋଇଥିଲା। ବହୁ କଳାକାରଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି ଏହି ଥିଏଟର। ରଙ୍ଗୀନ ପରଦାରେ ଆଜି ନିଜର କଳାର ଯାଦୁକରି ସାହାଯ୍ୟରେ ନିଜ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରୁଥିବା ସତୁରି ଭାଗ କଳାକାରଙ୍କ କଳାଜୀବନ ଅନ୍ନପୂର୍ଣ୍ଣା ଥିଏଟରରୁ ଆରମ୍ଭ। ହେଲେ ଏହା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇ ନିଜର ପରିଚୟ ହରାଇବାକୁ ବସିଲାଣି।
୧୯୩୩ରେ ଜମିଦାର ସୋମନାଥ ଦାସ ନାଟ ମଣ୍ଡଳୀ ଆରମ୍ଭ କରିଥିଲେ। ପରେ ୧୯୩୮ରେ ଏହା ଅନ୍ନପୂର୍ଣ୍ଣା ଥିଏଟର ଭାବେ ପରିଚିତ ହୋଇଥିଲା। ହେଲେ କିଛି ବର୍ଷ ମଧ୍ୟରେ ଏହାର ସଦସ୍ୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ପୁରୀଠାରେ ଅନ୍ନପୂର୍ଣ୍ଣା ଥିଏଟର ହୋଇଥିବା ବେଳେ ଅନ୍ନପୂର୍ଣ୍ଣା ବି କଟକ ତିନିକୋଣିଆ ବଜାର ନିକଟରେ ସ୍ଥାପିତ ହୋଇଥିଲା। ରାମଚନ୍ଦ୍ର ମିଶ୍ରଙ୍କ ଲିଖିତ ‘ମ୍ୟାନେଜର’ ନାଟକ ଏଠାରେ ପ୍ରଥମଥର ପାଇଁ ପରିବେଷିତ ହୋଇଥିଲା। ପରବର୍ତ୍ତୀ ସମୟରେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିବା ଏହି ଥିଏଟର ଅନେକ ଘାତ ପ୍ରତିଘାତ ଦେଇ ଧାରାବାହିକ ଦୁନିଆ ସହ ଟକ୍କର ଦେଇ ଆଗକୁ ବଢ଼ିବାକୁ ପ୍ରୟାସ ଜାରି ରଖିବା ସହ କଟକର ସାଂସ୍କୃତିକ ସ୍ବାଭିମାନକୁ ବଞ୍ଚାଇ ରଖିଛି। ସରକାରୀ ପ୍ରୋତ୍ସାହନ ଅଭାବରୁ ଏଠାରେ ଥିବା ଜନତା ରଙ୍ଗମଞ୍ଚ, କଳାଶ୍ରୀ ଥିଏଟର ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାବେଳେ ଅନ୍ନପୂର୍ଣ୍ଣା ଥିଏଟର ବନ୍ଦ ହେବା ପୂର୍ବରୁ ସରକାର ଦୃଷ୍ଟି ଦେଇ ନିଜ ଅଧୀନକୁ ନେବା ଲାଗି ସାଧାରଣରେ ଦାବି ଉଠିଛି। ମଞ୍ଚ ନାଟକର ଭିତ୍ତିଭୂମି ଥିବାରୁ ଏହି ରଙ୍ଗମଞ୍ଚରୁ ଜୟୀରାମ ସାମଲ, ହରିଶ ମହାନ୍ତି, ଲିଳା ଦୁଲାରୀ, ହର ପଟ୍ଟନାୟକ, ନମ୍ରତା ଦାସ, ତୃପ୍ତି ସିହ୍ନା, ପ୍ରଦ୍ୟୁମ୍ନ ଲେଙ୍କା ଭଳି ଭେଟେରାନ କଳାକାର ସୃଷ୍ଟି ହୋଇଛନ୍ତି। ଏବେ ପ୍ରୋତ୍ସାହନ ଅଭାବରୁ ଭିତ୍ତିଭୂମି ନ ଥିଲେ ମଧ୍ୟ ମାସକୁ ଗୋଟିଏ ନାଟକ ପରିବେଷଣ କରାଯାଉଛି, ଯାହାକି କେତେକ ବ୍ୟକ୍ତିଙ୍କ ସାହାଯ୍ୟ ସହାନୁଭୂତି ଏବଂ ଅନ୍ତେବାସୀଙ୍କ କଷ୍ଟଲବ୍ଧ ଅର୍ଥ ରାଶିରୁ। ବିଜୁବାବୁଙ୍କ ମୁଖ୍ୟମନ୍ତ୍ରିତ୍ୱ କାଳରେ ‘ନାଟକ ଦେଖନ୍ତୁ ମଞ୍ଚ ବଞ୍ଚାନ୍ତୁ’ ଅଭିଯାନ ଆରମ୍ଭ ହୋଇଥିଲା। ଆଜି ବି ମାସକୁ ଥରେ ଏହି ରଙ୍ଗ ମଞ୍ଚରେ ପ୍ରତ୍ୟେକ ମାସ ୨୯ ତାରିଖରେ ନାଟକ ପରିବେଷଣ ହେଉଛି। ଧାରାବାହିକ ହେଉ କି ଚଳଚ୍ଚିତ୍ର ଦୁନିଆରେ ପାଦ ଦେଉଥିବା କଳାକାର ଯଦି ମଞ୍ଚନାଟକ ପ୍ରାଥମିକ କଳା ଶିକ୍ଷା କରି ଆସନ୍ତି, ତା’ହେଲେ ପରବର୍ତ୍ତୀ ସମୟରେ ଅସୁବିଧାରେ ପଡ଼ି ନ ଥାନ୍ତି ବୋଲି ଅନେକ ପ୍ରଯୋଜକ ମତ ପ୍ରକାଶ କରିବା ସହ ମଞ୍ଚ ନାଟକ ବଞ୍ଚତ୍ ରହିବା ଜରୁରୀ ବୋଲି ଦାବି କରିଛନ୍ତି।