କଟକ ଅଫିସ,୨୦।୧୦: କରୋନା ଯୋଗୁ ଗତ ୭ ମାସ ହେବ ହାଇକୋର୍ଟ ବାର୍ ଆସୋସିଏଶନ୍ ସମେତ ରାଜ୍ୟର ସମସ୍ତ ଓକିଲ ସଂଘ ନିର୍ବାଚନ ବନ୍ଦ ରହିଥିଲା। ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଶେଷ ପାଇଁ ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ସହ ଡିସେମ୍ବର ୧୫ ସୁଦ୍ଧା ନିର୍ବାଚନ ଶେଷ କରି ଫଳାଫଳ ଘୋଷଣା କରିବାକୁ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ବିଚାରପତି ଜଷ୍ଟିସ ବି.ଆର. ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ସୋମବାର ରାଜ୍ୟ ଆଇନଜୀବୀ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଗତ ମାର୍ଚ୍ଚରୁ ଅନ୍ତରୀଣ କମିଟି ଦ୍ୱାରା ବିଭିନ୍ନ ବାର୍ ପରିଚାଳିତ ହେଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୮ରେ ରାଜ୍ୟର ସମସ୍ତ ବାରର ନିର୍ବାଚନ ହେବାର ଥିଲା। କରୋନା କଟକଣା ଯୋଗୁ ଏହା ବାତିଲ କରାଯାଇଥିଲା। ଏଭଳି ସ୍ଥଳେ ପ୍ରତ୍ୟେକ ବାରରେ ଏକ ଅନ୍ତରୀଣ କମିଟି ଗଠନ କରାଯିବାକୁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା।