୭ ହଜାର ସ୍ବାସ୍ଥ୍ୟକର୍ମୀ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି: ଦରମା ଏତିକି…

ଭୁବନେଶ୍ୱର,୧୫।୭(ବ୍ୟୁରୋ)-କରୋନା ମୁକାବିଲା ପାଇଁ ପ୍ରତି ପଞ୍ଚାୟତର କୋଭିଡ୍‌ କେୟାର ହୋମରେ ସ୍ବାସ୍ଥ୍ୟ କର୍ମୀ ନିଯୁକ୍ତି ହେବେ। ରାଜ୍ୟ ସରକାର ୬୭୯୮ ଗ୍ରାମ ପଞ୍ଚାୟତରେ ୭ହଜାର ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ନିଯୁକ୍ତି ଦେବେ। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବ୍ୟାପୁଥିବା ଲକ୍ଷ୍ୟ କରି ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ କୋଭିଡ୍‌ କେୟାର ହୋମ୍‌ ବା କୋଭିଡ୍‌ ଗୃହ ର୍ନିମାଣ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ଏହାର ସୁପରିଚାଳନା ପାଇଁ ତାଲିମପ୍ରାପ୍ତ ସ୍ବାସ୍ଥ୍ୟକର୍ମୀଙ୍କର ଆବଶ୍ୟକତା ପଡୁଛି। ତେଣୁ କୋଭିଡ୍‌ କେୟାର ହୋମ୍‌ଗୁଡ଼ିକରେ ୭ହଜାର ତାଲିମପ୍ରାପ୍ତ କର୍ମଚାରୀଙ୍କୁ ସାମୟିକ ଭାବେ ନିଯୁକ୍ତି ଦେବାକୁ ସ୍ଥିର ହୋଇଛି। କର୍ମନିଯୁକ୍ତି ପାଇ ନ ଥିବା ପଞ୍ଜୀକୃତ ଏଏନ୍‌ଏମ୍‌ମାନଙ୍କୁ କୋଭିଡ୍‌ ହୋମ୍‌ର ପରିଚାଳନା ପାଇଁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ। ଏମାନଙ୍କୁ ଦୈନିକ ୮୫୦ ଟଙ୍କାର ପାରିଶ୍ରମିକ ମିଳିବ ଏବଂ ପ୍ରତି ପଞ୍ଚାୟତରେ ଅତି କମ୍‌ରେ ଜଣେ ଏଏନ୍‌ଏମ୍‌ଙ୍କୁ କୋଭିଡ୍‌ କେୟାର ହୋମ୍‌ ଦାୟିତ୍ୱରେ ରଖାଯିବ। ଯଦି ଏହି ବର୍ଗରେ କୌଣସି ଲୋକ ନ ମିଳିଲେ ତେବେ ପଞ୍ଜୀକୃତ ହୋଇଥିବା ଷ୍ଟାଫନର୍ସ କିମ୍ବା ଫାର୍ମାସିଷ୍ଟଙ୍କୁ ଏଏନ୍‌ଏମ୍‌ଙ୍କ ସ୍ଥାନରେ ନିଯୁକ୍ତି ଦିଆଯିବ। ସେମାନଙ୍କୁ ଦୈନିକ ୧୦୦୦ ଟଙ୍କା କରି ପାରିଶ୍ରମିକ ମିଳିବ। ଏହି ନିଯୁକ୍ତି ସମ୍ପୂର୍ଣ୍ଣ ଭାବେ ସାମୟିକ ଏବଂ କୋଭିଡ୍‌ କେୟାର ହୋମ୍‌ ପରିଚାଳନା ଲାଗି ୩ମାସ ପାଇଁ ଉଦ୍ଦିଷ୍ଟ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି।

Share