ନୂଆଦିଲ୍ଲୀ, ୯।୧: ଏଣିକି ଡିସେମ୍ବର ୨୬ରେ ପାଳନ ‘ବୀର ବାଲ୍ ଦିବସ’ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏନେଇ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗୁରୁ ଗୋବିନ୍ଦ ସିଂଙ୍କର ପ୍ରକାଶ ପର୍ବ ପାଳନ ଅବସରରେ ଏଭଳି ଘୋଷଣା କରି ସେ ବେଶ୍ ଗର୍ବିତ। ସାହିବଜାଦାଙ୍କ ସାହସ ପାଇଁ ଏହା ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି, ମାତା ଗୁଜରୀ ଶ୍ରୀଗୁରୁ ଗୋବିନ୍ଦ ସିଂ ଜୀ ଏବଂ ୪ ସାହିବଜାଦାଙ୍କ ବୀରତ୍ୱ ଏବଂ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ସେ ଅନ୍ୟାୟ ଆଗରେ କେବେ ବି ମୁଣ୍ଡ ନୋଇ ନ ଥିଲେ।
ସେ ଏକ ନୂଆ ଦୁନିଆର କଳ୍ପନା କରିଥିଲେ। ଡିସେମ୍ବର ୨୬ରେ ‘ବୀର ବାଲ୍ ଦିବସ’ ପାଳନ କରିବା ନିଷ୍ପତ୍ତିକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସ୍ବାଗତ କରିଛନ୍ତି।
ଶାହା କହିଛନ୍ତି ଯେ ’ବୀର ବାଲ ଦିବସ’ ପାଳନ କରିବାର ନିଷ୍ପତ୍ତି ସାହିବଜାଦାଙ୍କ ଦେଶପ୍ରେମ ପ୍ରେରଣା ଦେଶବାସୀ ଉପଲବ୍ଧି କରିପାରିବେ। ଏଥିପାଇଁ ଶାହା ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି।
ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ନେଇ ଟୁଇଟ କରି କ୍ୟାପଟେନ ଅମରିନ୍ଦର କହିଛନ୍ତି ଯେ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ।