Categories: ଜାତୀୟ

୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ,୮।୮: ନିର୍ବାଚନ ଆୟୋଗ ଦେଶରେ ୬ଟି ରାଜ୍ୟରେ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏହି ରାଜ୍ୟଗୁଡିକ ହେଲା, ଝାଡ଼ଖଣ୍ଡ, ତ୍ରିପୁରା, କେରଳ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଏହି ୬ଟି ରାଜ୍ୟର ୭ଟି ବିଧାନସଭା ଆସନରେ ସେପ୍ଟେମ୍ବର ୫ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।

ସୂଚନାଯୋଗ୍ୟ, ଝାଡଖଣ୍ଡର ଡୁମ୍ରି ବିଧାନସଭା ଆସନର ଜଗରନାଥ ମହତୋ, କେରଳର ପୁଥୁପାଲୀ ବିଧାନସଭା ଆସନର ଓମାନ ଚାଣ୍ଡି, ତ୍ରିପୁରାର ବୋକ୍ସନଗର ଆସନର ସମସୁଲ ହକ, ପଶ୍ଚିମବଙ୍ଗର ଧୁପଗୁରୀ (ଏସସି) ବିଧାନସଭା ଆସନର ବିଷ୍ଣୁ ପାଣ୍ଡେ ଏବଂ ଉତ୍ତରାଖଣ୍ଡର ବାଗେଶ୍ୱର (ଏସସି) ଆସନର ଚନ୍ଦନ ରାମ ଦାସଙ୍କ ଦେହାନ୍ତ ପରେ ଏହି ସବୁ ଆସନ ଖାଲି ରହିଛି। ତ୍ରିପୁରାର ଅନ୍ୟ ଏକ ଧାନପୁର ବିଧାନସଭା ଆସନରେ ପ୍ରତୀମା ଭୌମିକଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡିଛି। ସେହିପରି ଉତ୍ତରପ୍ରଦେଶ ଘୋସି ବିଧାନସଭା ଆସନରେ ଦାରା ସିଂ ଚୌହାନଙ୍କ ଇସ୍ତଫା ପରେ ଖାଲି ପଡିଛି।

ନିର୍ବାଚନ ପ୍ରକ୍ରିୟା ଅନୁସାରେ ଅଗଷ୍ଟ ୧୦ରେ ବିଜ୍ଞପ୍ତି ପ୍ରଦାନ କରାଯିବ। ୧୭ ଅଗଷ୍ଟରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିବ। ଅଗଷ୍ଟ ୧୮ରେ ନାମାଙ୍କନଗୁଡିକର ଯାଞ୍ଚ କରାଯିବ। ଅଗଷ୍ଟ ୨୧ରେ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଶେଷ ତାରିଖ ରହିବ। ସେପ୍ଟେମ୍ବର ୫ରେ ୭ଟି ବିଧାନସଭା ଆସନରେ ମତଦାନ ହେବ। ସେପ୍ଟେମ୍ବର ୮ରେ ଭୋଟ ଗଣନା କରାଯିବ।

Share