‘ଶାରଳା ପୁରସ୍କାର’ ଘୋଷଣା: ଚଳିତବର୍ଷ ଏହି ମହିଳାଙ୍କୁ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଚଳିତବର୍ଷ ବିଶିଷ୍ଟ ଲେଖିକା ସରୋଜିନୀ ସାହୁ ପାଇବେ ୪୫ତମ ‘ଶାରଳା ପୁରସ୍କାର’। ୨୦୧୯ରେ ସୃଜନ ଇଣ୍ଡିଆ ଦ୍ୱାରା ପ୍ରକାଶିତ ତାଙ୍କ ଉପନ୍ୟାସ ‘ଅସ୍ଥିର ପାଦ’ ପାଇଁ ସେ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅକ୍ଟୋବର ୨୬ରେ ଇମ୍ଫା ଚାରିଟେବଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଲେଖିକାଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ଫଳକ ସହିତ ୫ଲକ୍ଷ ଟଙ୍କାର ଅର୍ଥରାଶି ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିକାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସାହିତ୍ୟ ଜଗତକୁ ତାଙ୍କର ଅବଦାନ ନିଶ୍ଚିତ ଭାବେ ନୂଆ ପିଢ଼ିର ଲେଖକମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ଲେଖିକା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଅଖିଳ କଥା ସମ୍ମାନ, ପ୍ରଜାତନ୍ତ୍ର ପୁରସ୍କାର, ଲାଡ୍‌ଲି ମିଡିଆ ଆୱାର୍ଡ ସହିତ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ସେହିପରି କଳାକ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ଭାସ୍କର୍ଯ୍ୟଶିଳ୍ପୀ ସୁଦର୍ଶନ ସାହୁ ଏବଂ କଣ୍ଠଶିଳ୍ପୀ ତାନସେନ ସିଂଙ୍କୁ ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ ୨୦୨୪’ ମିଳିବ। ପୁରସ୍କାର ବାବଦରେ ଉଭୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏ ଅର୍ଥରାଶି ସହ ମାନପତ୍ର ଓ ଫଳକ ପ୍ରଦାନ କରାଯିବ।

‘ଶାରଳା ପୁରସ୍କାର’ ଚୟନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟରେ ଡ. ଭଗବାନ ଜୟସିଂହ, ପ୍ରଫେସର କାଳୀଦାସ ମିଶ୍ର, ଡ. ଗୌରହରି ଦାସ, ସଦାନନ୍ଦ ତ୍ରିପାଠୀ, ବୈଜୟନ୍ତୀ ମିଶ୍ର, ସଂଯୁକ୍ତା ମହାନ୍ତି ଏବଂ ତାପସ କୁମାର ସାମନ୍ତରାୟ ବିଚାରକ ଥିଲେ। ସେହିପରି ‘ଇଲା ବଂଶୀଧର ପଣ୍ଡା କଳା ସମ୍ମାନ’ ପାଇଁ ସଙ୍ଗୀତ ବିଭାଗରେ ସୁସ୍ମିତା ଦାସ, ରତିକାନ୍ତ ଶତପଥୀ, ଶରତ ନାୟକ ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକୀଲ, ସତ୍ୟଭୂଷଣ ହୋତା ଓ ବୀରେନ୍ଦ୍ର ପାଣି ବିଚାରକ ଥିଲେ ବୋଲି ଶୁକ୍ରବାର ଇମ୍ପାକ୍ଟ ପକ୍ଷରୁ ପ୍ରେସ୍‌ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦିଆଯାଇଛି।

Share