ଭୁବନେଶ୍ୱରରେ ଆଜିଠାରୁ ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା

ଭୁବନେଶ୍ୱର,୨୬।୧: ରାଜ୍ୟ ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଦିବାସୀ ମେଳା ୨୦୨୪ ଶୁକ୍ରବାରଠାରୁ ଭୁବନେଶ୍ୱର ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ଜରିଆରେ ଏହି ମେଳାକୁ ଉଦ୍‌‌ଘାଟନ କରିଛନ୍ତି ।

ଏଥିରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳାସାମଗ୍ରୀ, ଲଘୁ ବନଜାତ ଦ୍ରବ୍ୟ, କୃଷିଜାତ ଦ୍ରବ୍ୟ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ପ୍ରଦର୍ଶନୀ ସହ ବିକ୍ରୟ କରାଯିବ । ଏହି ମେଳା ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ପ୍ରତ୍ୟହ ଅପରାହ୍ଣ ଅଢ଼େଇଟାରୁ ରାତି ୯ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ ।

ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଚାହିଦା ଅନୁଯାୟୀ ନିକଟ ଭବିଷ୍ୟତରେ ଜନଜାତିଙ୍କଦ୍ୱାରା ପ୍ରସ୍ତୁତ ଓ ସଂଗୃହୀତ କଳାସାମଗ୍ରୀ, ଲଘୁ ବନଜାତ ଆଦି ଦ୍ରବ୍ୟର ବିକ୍ରି ପାଇଁ ରାଜଧାନୀ ଭୁବନେଶ୍ୱରରେ ଏକ ସ୍ଥାୟୀ ସୁବିଧା ପ୍ରଦାନ କରିବାକୁ ବ୍ୟବସ୍ଥା କରାଯିବ।

Share